ବାରିପଦା (ଏଟିଆର ବ୍ୟୁରୋ); ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇ ୧୧ଟି ଜନ ହିତକର ପ୍ରକଳ୍ପର ଉଦ୍ଘାଟନ କରିବା ସହିତ ୬ଟି ଜନହିତକାରୀ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ବାରିପଦା ଛଉ ପଡ଼ିଆରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି କାର୍ଯ୍ୟକ୍ରମରେ ୨୦ହଜାର ୨୯୫ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୫ ଟଙ୍କା ଲେଖାଏଁ ସିଡ୍ ମନି ସହାୟତା ପ୍ରଦାନ କରିବା ସହିତ ୨୬ଟି ବ୍ଲକ୍ସ୍ତରୀୟ ମହାସଂଘକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି।
ଏତଦ୍ ବ୍ୟତୀତ ଡିଜିଟାଲ ସଶକ୍ତିକରଣ ନିମନ୍ତେ ୩୯୪୧୮ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀକୁ ୩ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ ସହିତ ମୟୂରଭଞ୍ଜ ଜିଲ୍ଲାରେ ସ୍ୱୟଂ ସହାୟକ ଗୋଷ୍ଠୀ ଓ ମହାସଂଘ ଗୁଡ଼ିକୁ ମୋଟ୍ ୪୯କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦଳା ବ୍ଲକ୍ରେ ଚମ୍ପାନଦୀ ଓ ସୋନ ନଦୀ ଉପରେ ନିର୍ମିତ ସେତୁର ଉଦ୍ଘାଟନ , ଉଦଳା ଉପଖଣ୍ଡ ଡାକ୍ତରଖାନାର ନୂତନ ନିର୍ମିତ ମାତୃଓ ଶିଶୁ ଚିକିତ୍ସାକେନ୍ଦ୍ରର ଉଦ୍ଘାଟନ କରିଛନ୍ତି।
ଏହି ସମାବେଶରେ ଉଦଳା ୧୯ ନମ୍ବର ରାଜ୍ୟ ରଜପଥ ଚମ୍ପା ନଦୀ ଉପରେ ହାଇଲେଭଲ୍ ସେତୁ, ଉଦଳା ଉପଖଣ୍ଡ ଚିକିତ୍ସାଳୟର ୫୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ଚିକିତ୍ସାକେନ୍ଦ୍ରର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ତକତପୁର ଏମପିସି ଜୁନିଅର କଲେଜ ଏବଂ ବାରିପଦା ମହିଳା ମହାବିଦ୍ୟାଳର ୩ ଶହ ସିଟ୍ ବିଶିଷ୍ଟ ଛାତ୍ରୀ ନିବାସ, ୩ଟି ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଶୁଭ ଉଦଘାଟନ୍ କରିଛନ୍ତି ନବୀନ ।
ମୁଖ୍ୟମନ୍ତ୍ରୀଙ୍କ ଏହି ଉନ୍ନତି ମୂଳକ କାର୍ଯ୍ୟକୁ ବେଶ ପ୍ରଂଶସା କରିଛନ୍ତି ଜନସାଧାରଣ । କାରଣ ନବୀନ ପଟ୍ଟନାୟକ ସବୁବେଳେଜନତାଙ୍କ ହିତ ପାଇଁ କାମ କରୁଥିଲେ ଏବଂ କରୁଥିବେ ବୋଲି କହିଛନ୍ତି । ସେପଟେ ଏହାକୁ ଆକ୍ଷେପ କରିଛନ୍ତି ବିରୋଧୀ କଂଗ୍ରେସ ଏବଂ ବିଜେପି । ନିର୍ବାଚନ ପାଖେଇ ଆସୁଥିବାରୁ ମୁଖ୍ୟମନ୍ତ୍ରୀଙ୍କ ନିଦ ଭାଙ୍ଗିଛି । ଏଣୁ ସେ ଏଭଳି ଯୋଜନାର ଖାଲି ଭିତ୍ତି ପ୍ରସ୍ତର କରୁଛନ୍ତି । ମାତ୍ର ଏସବୁ କାର୍ଯ୍ୟରେ ଲାଗିବ ତ? ଏଭଳି ପ୍ରଶ୍ନ କରିଛନ୍ତି ବିରୋଧୀ ।