ହାମିଲଟନ (ଏଟିଆର ବ୍ୟୁରୋ); ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆର ଭାରତ ପକ୍ଷରୁ ଅଧିନାୟକ ଭାର ସମ୍ଭାଳିଥିଲେ ହିଟମ୍ୟାନ ରୋହିତ ଶର୍ମା । କୋହଲିଙ୍କୁ ବିସିସିଆଇ ବିଶ୍ରାମ ଦେବା ପରେ ରୋହିତ ବାକି ୨ଟି ଦିନିକିଆ ଏବଂ ଟି-୨୦ ପାଇଁ ଦଳର ଅଧିନାୟକ ଭାର ତୁଲାଇବେ । ମାତ୍ର ଘରେ ନପଶୁଣୁ ଚାଳ ବାଜିଲା ଭଳି ଦାୟିତ୍ୱ ନେଉ ନେଉ ଦଳର ହାରି ଯାଇଛି । ତେବେ ଦଳ ହାରିବା ଯେତିକି ଗୁରୁତ୍ୱ ନୁହେଁ ଲଜ୍ଜା ଜନକ ପରାଜୟ ଦଳ ପାଇଁ ସବୁଠାରୁ ଅଶୁଭ ଖବର ।
ତେବେ ଭାରତୀୟ ବ୍ୟାଟିଂ ବିପଯ୍ୟୟ ପାଇଁ ଦୁଃଖ ଅନୁଭବ କରିଛନ୍ତି ରୋହିତ ଶର୍ମା । ମାତ୍ର ସେ ନ୍ୟୁଜିଲାଣ୍ଡ ବୋଲର ମାନଙ୍କୁ ବେଶ ପ୍ରଶଂସା କରିଛନ୍ତି । ଘରୋଇ ଦଳର ବୋଲରଙ୍କ ବୋଲିଂ ଅତି ଉଚ୍ଚକୋଟିର ଥିଲା । ବଲ ପୁରା ସୁଇଂ ହେଉଥିଲା । ଯାହା ଫଳରେ ଭାରତୀୟ ବ୍ୟାଟ୍ସମ୍ୟାନ ସାମନା କରିବାକୁ ଅସମର୍ଥ ହୋଇଛନ୍ତି । ଟପ୍ ଅର୍ଡରର ଅମ୍ବାତି ରାୟଡ଼ୁ, ଦୀନେଶ କାର୍ତ୍ତିକ ଏବଂ କେଦାର ଯାଦବ ଅଳ୍ପ ସମୟ ବ୍ୟବଧାନରେ ବିଦାୟ ନେବା ଆରମ୍ଭରୁ ବିପର୍ୟ୍ୟୟକୁ ଡାକିଆଣିଥିବାକୁ ସ୍ୱୀକାର କରି ରୋହିତ କହିଛନ୍ତି, “ଦୀର୍ଘ ଦିନ ପରେ ଏହା ଆମର ସବୁଠାରୁ ଖରାପ ବ୍ୟାଟିଂ ପ୍ରଦର୍ଶନ। ଏହା ଆମର ଆଶା ବାହାରେ ଥିଲା। ଆପଣଙ୍କୁ ନିଶ୍ଚୟ ନ୍ୟୁଜିଲ୍ୟାଣ୍ଡର ବୋଲରଙ୍କୁ ଶ୍ରେୟ ଦେବାକୁ ହେବ। ଚମକପ୍ରଦ ପ୍ରଦର୍ଶନ ଥିଲା, ସେମାନଙ୍କଠାରୁ ଆମକୁ ଶିଖିବାକୁ ହେବ।”
ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ମ୍ୟାଚଟି ରୋହିତଙ୍କର ୨୦୦ତମ ମ୍ୟାଚ ଥିଲା । ଏହି ମ୍ୟାଚରେ ଅଧିନାୟକ ପଦ ପାଇବା ପରେ ବେଶ ଖୁସିଥିଲେ ରୋହିତ । ମାତ୍ର ଦଳୀୟ ଖେଳାଳିଙ୍କ ବ୍ୟାଟିଂରେ ବିଭୋର ହୋଇ ଯାଇଛନ୍ତି । ତେବେ ଦୀର୍ଘଦିନ ପରେ ଦଳ ଏଭଳି ଏକ ପରିସ୍ଥିତିର ସମାନା କରିଛି । ଏହି ମ୍ୟାଚ ପରେ ଦଳ ବହୁତ କିଛି ଶିଖିବାକୁ ପାଇଛି । ବ୍ୟାଟ୍ସମ୍ୟାନ୍ମାନେ ନିଜେ ନିଜକୁ ଦାୟୀ କରିବା ଆବଶ୍ୟକ। ଏହାର ଯଥାର୍ଥତା ଦର୍ଶାଇବାକୁ ଯାଇ ସେ କହିଥିଲେ, “ଏଭଳି କିଛି ସମୟ ଆସିବ ଯେ, ଆପଣଙ୍କୁ ଚାପ ନେବାକୁ ହେବ। ଆମେ ଏଥିପାଇଁ ନିଜକୁ ଦାୟୀ କରିବାକୁ ହେବ। ସେହି ସ୍ଥିତିରେ ନିଜ ଉପରେ ଚାପ ଆଣିବାକୁ ହେବ। ଏହାପରେ ସବୁକିଛି ସ୍ୱାଭାବିକ ହୋଇଯିବ। ଆମେ ଖରାପ ଶଟ୍ ଖେଳିଥିଲୁ। ବଲ୍ ସ୍ୱିଙ୍ଗ କରିବା ସମୟରେ ଖେଳିବା ଚ୍ୟାଲେଞ୍ଜିଂ ହୋଇଥାଏ।”