ମାଲକାନଗିରି (ଏଟିଆର ବ୍ୟୁରୋ); ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ ସଫଳତା । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୧୦ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି । ଗୁଇନ୍ଦା ରିପୋର୍ଟ ଆଧାରରେ ପୋଲିସ ୧୧ଟି ବନ୍ଧୁକ,ଗୋଟିଏ ରିଭଲଭଲ ଏବଂ ଗୋଟିଏ ଆଇଇଡି ଜବତ କରିଛି । ତେବେ ଆହୁରି ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ଅନୁମାନ କରାଯାଇଛି । ତେବେ ଏହି ଏନକାଉଣ୍ଟର ଘଟିଛି ମାଲକାନଗିରି ସୀମାନ୍ତ ଛତିଶଗଡ ବିଜାପୁର ଜିଲ୍ଳା ଭୈରବଗଡ ଜଙ୍ଗଲରେ । ଏସଟିଏଫ ଏବଂ ଡିଆଇଜିର ମିଳିତ କମ୍ବି ଅପରେଶନ ବଳରେ ଏହି ସଫଳତା ମିଳିଥିବା ଜଣା ପଡିଛି । ମାଓବାଦୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି ।
ଗୁଇନ୍ଦା ସୂଚନା ଅନୁଯାୟୀ ଭୌରବଗୁଡା ଥାନାଠାରୁ ପ୍ରାୟ ୨୨ କିଲୋମିଟର ଦୂରରେ ଥିବା ବୋର୍କା ତାକିଲୋରୋଡ ଗାଁ ନିକଟ ଜଙ୍ଗଲରେ ମାଓବାଦୀଙ୍କ କ୍ୟାମ୍ପ ରହିଥିଲା । ତେବେ କୌଣସି ବିଶେଷ ସୂତ୍ରରୁ ପୋଲିସ ଖବର ପାଇବା ପରେ ଏସଟିଏଫ ଏବଂ ଜିଆରଜି ମିଳିତ ଭାବରେ ଚଢ଼ାଉ କରିଥିଲା । ପ୍ରଥମେ ମାଓବାଦୀମାନେ ଗୁଳି ଚାଳନା କରିଥିଲେ । ପରେ ପୋଲିସ ପାଲଟା ଗୁଳି ଚଳାଇଥିଲା । ପୋଲିସର ଗୁଳିରେ ପାଖାପାଖି ୧୦ ଜଣ ମାଓବାଦୀଙ୍କ ପ୍ରାଣ ଯାଇଥିବା ଜଣା ପଡିଛି । ତେବେ ଆହୁରି ମଧ୍ୟ ମାଓବାଦୀ ମରିଥିବେ ବୋଲି ସୂଚନା ମିଳିଛି । କିନ୍ତୁ କୌଣସି ସୁରକ୍ଷାକର୍ମୀଙ୍କର କିଛି କ୍ଷତି ହୋଇ ନାହିଁ । ସମସ୍ତେ ସୁରକ୍ଷିତ ଥିବା ବିଜାପୁର ଏସପି ମୋହିତ ଗର୍ଗ ସୂଚନା ଦେଇଛନ୍ତି ।
ପୋଲିସର ଏହି ସଫଳତାକୁ ବେଶ ପ୍ରଂଶସା କରାଯାଇଛି । ବିଭିନ୍ନ ବିଭାଗରୁ ମଧ୍ୟ ପ୍ରଂଶସାର ସୁଅ ଛୁଟି ଆସିଛି । ଦୀର୍ଘଦିନ ହେବ ମାଓବାଦୀଙ୍କ ଆକ୍ରମଣ ବଢ଼ିବାରେ ଲାଗିଥିଲା । ମାଓବାଦୀ ସପ୍ତାହ ପାଳନ ହେଉଥିବା ବେଳେ ଗାଁ ପଶି ରାସ୍ତା କାମ ଅଟକାଇ ସହ ଜଣକୁ ପୋଲିସ ଇନଫର୍ମର ଭାବି ମାଓବାଦୀମାନେ ମାରି ଦେଇଥିଲେ । ସେପଟେ ବସକୁ ଅଟକାଇ ବସ ପୋଡିବା ସହ ଲୋକଙ୍କୁ ମାଡ ମାରିଥିବା ଘଟଣା ଲୋକ ଲୋଚନକୁ ଆସିଥିଲା । ଏବେ ମାଓବାଦୀଙ୍କ ନିଧନ ପରେ ବେଶ ଖୁସି ଅଛନ୍ତି ପୋଲିସ ।