ମୁମ୍ବାଇ (ଏଟିଆର ବ୍ୟୁରୋ): ମା’ ହେବା ପରେ ଟିଭି କୁଇନ୍ ଏକତା କପୁର ଖୁବ୍ ଖୁସି ଅଛନ୍ତି । ନିକଟରେ ଏକତା କପୁର ସରୋଗେସି ଜରିଆରେ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ଏହାପରେ ସେ ତାଙ୍କ ପୁତ୍ର ର ନାମକରଣ ଉତ୍ସବ ଆୟୋଜନ କରିଥିଲେ । ଏହି ଉତ୍ସବରେ ବଲିଉଡ ଏବଂ ଟିଭି ଦୁନିଆର ଅନେକ ବଡ ବଡ କଳାକାରମାନେ ପହଁଚି ତାଙ୍କୁ ଶୁଭକାମନା ଜଣାଇଛନ୍ତି ।
ଏହି ଉତ୍ସବରେ ଉପସ୍ଥିତ ଥିବା କଳାକାରମାନଙ୍କ ମଧ୍ୟରୁ ଅଭିନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଅଧିକ ମାତ୍ରାରେ ଚର୍ଚ୍ଚା ସାଉଣ୍ଟିଥିଲେ । ଏକତାଙ୍କ ସିରିୟଲ ‘କୁଁ୍ୟକି ସାସ ଭି କଭି ବହୁ ଥି’ଜରିଆରେ ସ୍ମୃତି ଙ୍କ ଏକ ସ୍ୱତନ୍ତ୍ର ପରିଚୟ ମିଳିଥିଲା । ତାପରେ ତାଙ୍କୁ ଲୋକେ ଘରେ ଘରେ ଜାଣିଥିଲେ । ସମୟ ଅନୁଯାୟୀ ଏକତା ଏବଂ ସ୍ମୃତିଙ୍କ ବନ୍ଧୁତାରେ ଗଭୀରତା ବଢିଚାଲିଛି ।
ଏକତା କପୁର ତାଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ପୁତ୍ର ସନ୍ତାନ ସହିତ ସ୍ମୃତିଙ୍କର ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋ ଜରିଆରେ ଏକତାଙ୍କ ପୁଅର ପ୍ରଥମ ଝଲକ ଦେଖିବାକୁ ମିଳିଛି । ଏଥିରେ ସ୍ମୃତି ବହୁତ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ଫଟୋକୁ ସେୟାର କରି ଏକତା କ୍ୟାପସନ୍ ରେ ଲେଖିଛନ୍ତି- ‘ମାସି ସ୍ପେଶାଲ’ ।
ସ୍ମୃତି ଇରାଣୀ ସର୍ବଦା ସୋସିଆଲ ମିଡିଆରେ ସକ୍ରିୟ ଥାନ୍ତି । ଏହାସହିତ ସ୍ମୃତିଙ୍କ ଉପରେ କରାଯାଇଥିବା ମିମ୍ସ ବି ସେ ସେୟାର କରିଥାନ୍ତି । ଏବେ ଏକତାଙ୍କ ‘ମାସି ସ୍ପେଶାଲ’ ପୋଷ୍ଟ କୁ ଦେଖି ସ୍ମୃତି ଏହାର ଜବାବ ଦେଇଛନ୍ତି ।
ଏହାର ଉତ୍ତରରେ ସ୍ମୃତି ଲେଖିଛନ୍ତି କି, ‘ ମାସି ତରଫରୁ ବହୁତ ବହୁତ ଭଲ ପାଇବା ଏବଂ ଆର୍ଶିବାଦ । ପୂଜା ସମୟରେ କୁନି ବେବିକୁ କୋଳେଇ ଥିବାର ଦେଖିଥିଲି । ଖୁସିକୁ ଉପଭୋଗ କର । ଭଗବାନଙ୍କ ଆର୍ଶିବାଦ ମିଳୁ’ ।
ଖବରମୁତାକ ଚଳିତ ବର୍ଷ ଜାନୁଆରୀ ୨୭ରେ ଜନ୍ମ ହୋଇଥିବା ଶିଶୁର ନାମ ଏକତାଙ୍କ ପିତା ଜିତେନ୍ଦ୍ରଙ୍କ ନାମ ଅନୁଯାୟୀ ରବି କପୁର ରଖାଯାଇଛି ।