ସମ୍ବଲପୁର (ଏଟିଆର ବ୍ୟୁରୋ); ଝିଅ ଜନ୍ମ ଦେବା କଣ ଭୁଲ? ଝିଅ କଣ ଅଭିଶାପ? ଏବେ ଉଠିଛି ଏଭଳି ପ୍ରଶ୍ନ । ଦିନକୁ ଦିନ ସମୟ ଏତେ ଆଗକୁ ଯାଇଥିଲେ ମଧ୍ୟ ଆଜିବି ଲୋକ ଝିଅକୁ ପାପ ବୋଲି ଭାବୁଛନ୍ତି । ଏଣୁ ଝିଅ ଜନ୍ମ ଦେଉଥିବା ମହିଳାମାକନଙ୍କୁ ଅତ୍ୟାଚାର କରୁନ୍ତି । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ହୀରାକୁଦ ଅଞ୍ଚଳରେ । ହୀରାକୁଦ ଅଞ୍ଚଳର ଭିଏସେସ କଲୋନୀରେ ରହୁଥିବା ରଘୁନାଥଙ୍କ ପରିବାର ତାଙ୍କ ବୋହୁକୁ ନିର୍ଯ୍ୟାତନା ଦେବା ସହିତ ଜିଅନ୍ତା ପୋଡି ଦେଇଛନ୍ତି । ପୋଡି ହୋଇଥିବା ଜ୍ୟୋର୍ତିମୟୀ ଏବେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ସେ । ସେପଟେ ଜ୍ୟୋତିର୍ମୟୀଙ୍କ ବାପା କୃଷ୍ଣଚନ୍ଦ୍ର ଶତପଥୀ ଥାନାରେ ଏତଲା ଦେବା ପରେ ପୋଲିସ ହତ୍ୟା ଉଦ୍ୟମ ଏବଂ ନିର୍ଯ୍ୟାତନା ମାମଲା ଲଗାଇଛି । ପୋଲିସ ଶାଶୂ,ଶ୍ୱଶୂର ଏବଂ ସ୍ୱାମୀଙ୍କୁ ଅଟକ ରଖି ପଚରା ଉଚରା କରୁଛି ।
ମିଳିଥିବା ସୂଚନା ମୁତାବକ ସ୍ମୃତିରଞ୍ଜନ ଏବଂ ଜ୍ୟୋତିର୍ମୟୀ ଉଭୟ ୨୦୦୯ରେ ପ୍ରେମ ବିବାହ କରିଥିଲେ । ଉଭୟ ଘର ଛାଡି କୋର୍ଟରେ ବିବାହ କରିଥିଲେ । ଫଳରେ ଜ୍ୟୋତିର୍ମୟୀଙ୍କ ପରିବାର ସହିତ ତାଙ୍କର କୌଣସି ସମ୍ପର୍କ ନଥିଲା । ଉଭୟ ସ୍ମୃତିଙ୍କ ଘରେ ରହୁଥିଲେ । ବହୁଦିନ ଧରି ଉଭୟଙ୍କ ପରିବାର ବହୁତ ଖୁସିରେ ଚାଲିଥିଲା । ୨୦୧୨ ମସିହାରେ ସେମାନଙ୍କର ଗୋଟିଏ କନ୍ୟା ସନ୍ତାନ ଜନ୍ମ ନେଇଥିଲା । ତେବେ ପ୍ରଥମେ ଝିଅ ହେବାରୁ ପରିବାର ଲୋକ ଜ୍ୟୋର୍ତିମୟୀଙ୍କୁ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ । ତେବେ ୨୦୧୬ ମସିହାରେ ଯେତେବେଳେ ଆଉ ଏକ ଝିଅ ଜନ୍ମ ନେଇଥିଲା ସେବେଠାରୁ ଶାଶୂଘର ଲୋକଙ୍କ ନିର୍ଯ୍ୟାତନାର ପରିମାଣ ବଢ଼ିବାରେ ଲାଗିଥିଲା । ସବୁବେଳେ ମାଡ ମାରିବା ସହିତ ମାରିବା ପାଇଁ ଧମକ ମଧ୍ୟ ଦେଇଥିଲେ ।
ଏହି ବାବଦରେ ଥାନାରେ ଏତଲା ଦେଇଥିଲେ ଜ୍ୟୋତିର୍ମୟୀ । କିନ୍ତୁ ପୋଲିସ କାର୍ଯ୍ୟାନୁଷ୍ଠାନ ନନେଇ ଉଭୟଙ୍କ ମଧ୍ୟରେ ଆପୋଷ ବୁଝାଶୁଝା କରିଥିଲା । ତେବେ ଥାନାରେ ଅଭିଯୋଗ କରିଥିବାରୁ ଶାଶୂଘର ଲୋକଙ୍କ ମୁଣ୍ଡକୁ ପିତ ଚଢ଼ି ଯାଇଥିଲା । ଏବଂ ସେମାନେ ମାରିବା ପାଇଁ ଯୋଜନା କରିଥିଲେ । ବୁଧବାର ଶାଶୂ ଶ୍ୱଶୂର ଏବଂ ସ୍ୱାମୀ ମିଶି ଜ୍ୟୋତିର୍ମୟୀଙ୍କୁ ଛାତ ଉପରକୁ ନେଇଥିଲେ । ପରେ ତାଙ୍କୁ ବାନ୍ଧି ସାନ ଝିଅ ଅଗରେ ତାଙ୍କୁ ଜାଳିବା ପାଇଁ ଚେଷ୍ଠା କରିଥିଲେ । ମାକୁ ଜାଳୁଥିବା ଦେଖିବା ପରେ ପାଟିକରି ଡାକିଥିଲେ ଝିଅ । ଏହା ପରେ ସାଇ ପଡିଶା ଦୌଡି ଆସି ଜ୍ୟୋର୍ତିମୟୀଙ୍କୁ ଉଦ୍ଧାର କରି ବୁର୍ଲା ମେଡିକାଲକୁ ପଠାଇଥିଲେ । ଏବଂ ଉତ୍ୟକ୍ତ ଲୋକ ଜ୍ୟୋଜିଙ୍କ ଶାଶୂଘର ଲୋକଙ୍କୁ ମାଡ ମାରିଥିଲେ । ପରେ ଜ୍ୟୋର୍ଜିମୟୀଙ୍କ ପରିବାର ଲୋକ ଖବର ପାଇବା ପରେ ଥାନାରେ ଏତଲା ଦେଇଥିଲେ ।