ଯାଜପୁର (ଏଟିଆର ବ୍ୟୁରୋ); ଥ୍ରୀପି’ ଦାବିରେ ଦୀର୍ଘ ଦିନ ହେବ ବିଭିନ୍ନ ପ୍ରକାର ଆନ୍ଦୋଳନ ଜାରି ରଖିଛି ନବ ନିର୍ମାଣ କୃଷକ ସଂଗଠନ । ଗତ ୧୧ ତାରିଖଠାରୁ ରାଜ୍ୟବ୍ୟାପି ଅର୍ଥନୈତିକ ଅବରୋଧ ଜାରି ରଖିଛି ସଂଗଠନ । ତେବେ ଆଜି ଯାଜପୁର ଜିଲ୍ଲା ଗଡମଧୁପୁର ରେଳ ଷ୍ଟେସନ ପାଖରେ ନବ ନିର୍ମାଣ କୃଷକ ସଂଗଠନର କର୍ମୀମାନେ ରେଳ ଧାରଣା ଉପରେ ଆନ୍ଦୋଳନ କରିବା ସହିତ ରେଳକୁ ରୋକ କରିଥିଲେ । ଫଳରେ ଧଉଳି ଏକ୍ସପ୍ରେସ ଷ୍ଟେସନରେ କିଛି ସମୟ ଅଟକି ରହିଥିଲା । ଏବଂ ଯାତ୍ରୀମାନେ ବହୁତ ଅସୁବିଧାର ସମୁଖୀନ ହେବାକୁ ପଡିଥିଲା । ପରେ ଜିଆରପି ଏବଂ ଜେନାପୁର ପୋଲିସ ଆସି ଆନ୍ଦୋଳନ କାରୀମାନଙ୍କୁ ହଟାଇବା ପରେ ଟ୍ରେନ ଚଳାଚଳ ହୋଇଥିଲା ।
ପ୍ରାଇସ,ପ୍ରେଷ୍ଟିଜ ଏବଂ ପେନସନ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି ନବ ନିର୍ମାଣ କୃଷକ ସଂଗଠନ । ରାଜ୍ୟ ବିଭିନ୍ନ ଜିଲ୍ଲାରେ ଏହି ବନ୍ଦ ପାଳନ କରାଯାଉଛି । କେଉଁଠି ରାସ୍ତା ରୋକ କରାଯାଉଛି ତ ଆଉ କେଉଁଠି ରେଳ ରୋକ । ତେବେ ଏଥିରୁ ବାଦ ପଡି ନାହାଁନ୍ତି ଯାଜପୁର ଜିଲ୍ଲାର କୃଷକ ସଂଗଠନ । ଆଜି ସକାଳେ ଶହ ଶହ ପୁରଷ ଏବଂ ମହିଳା କର୍ମୀମାନେ ମିଶି ସହର ସାରା ନାରା ବାଜି କରି ବାହାରିଥିଲେ । ଏବଂ ପରେ ଏମାନେ ଯାଇ ରେଳ ରୋକ କରିଥିଲେ । ପୋଲିସ ଖବର ପାଇବା ପରେ ଏମାନଙ୍କୁ ଉଠାଇ ନେଇଥିଲା ।
ଆସନ୍ତା ୨୧ ତାରିଖରେ ଓଡିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ । ସରକାର ସେମାନଙ୍କ ଦାବି ନଶୁଣିବାରୁ ଆନ୍ଦୋଳନକୁ ତିବ୍ର କରିବା ପାଇଁ ଏଭଳି ବନ୍ଦ ଡାକରା ଦେଇଛି ସଂଗଠନ । ତେବେ ଚାଷୀମାନେ ଦୁଇ ଦୁଇ ଥର ଭୁବନେଶ୍ୱର ଆସି ସଭା କରିବା ପାଇଁ ଚେଷ୍ଠା କରୁଥିବା ବେଳେ ପୋଲିସ ଏହାକୁ ଭଣ୍ଡୁର କରି ଦେଇଛି । ରାଜଧାନୀକୁ ପଶିବା ଆଗରୁ ଏମାନଙ୍କୁ ଉଠାଇ ନେବା ଏବଂ ଗିରଫ ମଧ୍ୟ କରିଛି । ଏଣୁ କୃଷକମାନେ ପ୍ରଥମେ ନିଜ ନିଜ ଅଞ୍ଚଳରେ ଆନ୍ଦୋଳନ କରିଥିଲେ । ଏବଂ ଏବେ ଆନ୍ଦୋଳନକୁ ତିବ୍ର କରିବା ପାଇଁ ଓଡିଶା ବନ୍ଦ ଡାକରା ଦେଇଛନ୍ତି । ସେମାନଙ୍କ ସହିତ ଅନ୍ୟ କିଛି ସଂଗଠନ ମଧ୍ୟ ଯୋଗ ଦେବେ ବୋଲି ସୂଚନା ମିଳିଛି ।