ଯାଜପୁର (ଏଟିଆର ବ୍ୟୁରୋ); ଥମୁନି ରାଜନୈତିକ ହିଂସା । ପ୍ରତ୍ୟେକ ଦିନ କେଉଁଠି ନାଁ କେଉଠି ନେତାଙ୍କ ଉପରକୁ ଆକ୍ରମଣ ହେଉଥିବା ଦେଖିବାକୁ ମିଳୁଛି । ଚଳିତ ବର୍ଷ ନିର୍ବାଚନରେ ସବୁଠାରୁ ଅଧିକ ହିଂସା ହେଉଛି । ନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ ଚାଲିଛି ହିଂସା । ତେବେ ଗୁରୁବାର ପୁଣି ଏକ ରାଜନୈତିକ ହିଂସାକାଣ୍ଡ ଘଟିଛି । ଯାଜପୁର ଜିଲ୍ଲା ସୁକିନ୍ଦାର ୩୯ ନମ୍ବର ଜୋନର ଜିଲ୍ଲାପରିଷଦ ସରୋଜିନୀ ରାଜଙ୍କ ଗାଡିକୁ ବୋମାମାଡ ହୋଇଥିବା ଅଭିଯୋଗ ହୋଇଛି । ତେବେ ସରୋଜିନୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତାଙ୍କର କିଛି କ୍ଷତି ହୋଇନାହିଁ । ପୋଲିସ ଖବର ପାଇବା ପରେ ଘଯଣାର ତଦନ୍ତ ଆରମ୍ଭ କରିଛି ।
ପୋଲିସ ରିପୋର୍ଟ ମୁତାବକ ଗତକାଲି ସରୋଜିନୀ ରାତିରେ ନିର୍ବାଚନୀ ପ୍ରଚାର ସାରି ଫେରୁଥିବା ବେଳେ ତାଙ୍କ ଗାଡିକୁ ବୋମାମାଡ ହୋଇଥିଲା । ତେବେ ଠାକୁରଙ୍କ ଦୟାରୁ ତାଙ୍କର କିଛି କ୍ଷତି ହୋଇନାହିଁ । ସରୋଜିନୀଙ୍କ କାର କାଚ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି । ତାଙ୍କୁ କୌଣସି ରାଜନୈତିକ ଦଳ ଆକ୍ରୋଶ ରଖି ଏଭଳି ଆକ୍ରମଣ କରିଛନ୍ତି ବୋଲି ସେ ନିଜର ଅଭିଯୋଗରେ ଦର୍ଶାଇଛନ୍ତି । ପୋଲିସ ଏତଲା ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି । ପୂର୍ବରୁ ଭୁବନେଶ୍ୱର ପୂର୍ବତନ ମେୟର ତଥା ଚଳିତ ନିର୍ବାଚନରେ ଉତ୍ତର ଭୁବନେଶ୍ୱରର ବିଜେଡି ପ୍ରାର୍ଥୀ ହୋଇଥିବା ଅନନ୍ତ ନାରାୟଣ ଜେନାଙ୍କୁ ମଧ୍ୟ ବୋମା ମାଡ ହୋଇଥିଲା । ତେବେ ଏଠାରେ ପ୍ରଶ୍ନ ଉଠୁଛି ନେତା ଯେଉଁଠି ସୁରକ୍ଷିତ ନୁହଁନ୍ତି ସେଠାରେ ଜନତାଙ୍କ ଅବସ୍ଥା କଣ ହେବ?