ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆଜି ଦିନିକିଆ କଳାହାଣ୍ଡି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଶୁଭଉଦଘାନ କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କଳାହାଣ୍ଡିରେ ଜାଗା ମିଶନରେ ଭୂମିହୀନ ବସ୍ତିବାସିନ୍ଦାଙ୍କୁ ମିଳିବ ଭୂମି ଅଧିକାର । ମୁଖ୍ୟମନ୍ତ୍ରୀ ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ବଣ୍ଟନ କରିବେ । ଏଥି ସହିତ ରେତ ମଧ୍ୟମ ଜଳସେଚନ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ । ୭୬୮ କୋଟି ୪୬ ଲକ୍ଷ ଟଙ୍କାରେ ନିର୍ମିତି ଏହି ପ୍ରକଳ୍ପ ଦ୍ଵାରା କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା, କେସିଙ୍ଗା, ନର୍ଲା ଓ ଲାଂଜିଗଡ ବ୍ଲକର ୭୯ଟି ଗାଁର ୮ ହଜାର ୫ ଶହ ହେକ୍ଟର ଚାଷ ଜମିକୁ ଜଳସେଚନ ଉପଲବ୍ଧ ହେବ ।
ତେବେ ଭବାନୀପାଟଣାରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କର ଅନ୍ୟ ଏକ କାର୍ଯ୍ୟକ୍ରମ ରହିଛି । ଏଠାରେ ମିଶନଶକ୍ତି କାର୍ଯ୍ୟକ୍ରମରେ ମଧ୍ୟ ନବୀନ ଯ଼ୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ୫୦ ହଜାର ମହିଳା ଯୋଗ ଦେବେ ବୋଲି ସୂଚନା ମିଳିଛି । ନାରୀ ମାନଙ୍କୁ ସମ୍ମାନ ଦେବା ଏବଂ ନାରୀ ମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ଏହି ମିଶନ ଶକ୍ତିର ମୁଖ୍ୟ ଲକ୍ଷ । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତରେ ଏକ ଦଳୀୟ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି । ଜୁନାଗଡରେ ଏକ କର୍ମୀ ସମ୍ମିଳନୀ ଆୟୋଜନ କରାଯିବ । ଏଥିରେ ବହୁ ଦଳୀୟ କର୍ମୀ ଯୋଗ ଦେବେ । ତେବେ ସବୁଠାରୁ ବଡ କଥା ହେଉଛି ଏହି ସଭାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଜେପି ଏବଂ କଂଗ୍ରେସ କିଛି କର୍ମୀ ବିଜେଡିରେ ଯୋଗ ଦେବେ । ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି ।
ପଶ୍ଚିମ ଓଡିଶାକୁ ସମସ୍ତେ ନଜରରେ ରଖିଛନ୍ତି । କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ଆସି ସେଠାରେ ସାଧାରଣ ସଭାର ଆୟୋଜନ କରି ଉଭୟ ବିଜେପି ଏବଂ ବିଜେଡି ସରକାରଙ୍କୁ ସମାଲୋଚନା କରିଥିଲେ । ସେପଟେ ବିଜେପି ମଧ୍ୟ ବାରମ୍ବାର ଗୋଟିଏ ପରେ ଗୋଟିଏ କାର୍ଯ୍ୟକ୍ରମ ସେଠାରେ ଆୟୋଜନ କରୁଛି । ଏଣୁ କାଳେ ପଶ୍ଚିମ ଓଡିଶା ଭୋଟ ବ୍ୟାଙ୍କ ହାତରୁ ଖସି ଯିବ ଏଣୁ ନବୀନ ମଧ୍ୟ କସରତ କରି ସେଠାରେ ସଭା ଆୟୋଜନ କରୁଛନ୍ତି ଏବଂ ପ୍ରକଳ୍ପର ଉଦଘାଟନ କରିଛନ୍ତିବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।