ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଜାନୁଆରୀ ୨୬ ତାରିଖରୁ ସ୍ଥାନୀୟ ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବ ଆଦିବାସୀ ମେଳା । ରାଜଧାନୀରେ ଦେଖିବାକୁ ମିଳିବ ନିପଟ ମଫସଲର ସେଇ ଆଦିବାସୀଙ୍କ ଦୃଶ୍ୟ । ଆଦିବାସୀଙ୍କ ଚାଲି ଚଳନଠାରୁ ଆରମ୍ଭ କରି ସେମାନଙ୍କ ସମସ୍ତ ସାମଗ୍ରୀ ଏଠାରେ ପ୍ରଦର୍ଶିତ ହେବ । ଯାହାକୁ ନେଇ ଚଳଚଞ୍ଚଳ ହୋଇ ପଡିଛି ପ୍ରଦର୍ଶନୀ ପଡିଆ । କିଏ ମାଟି କାନ୍ଥ ଲିପୁଛି ତ ଆଉ କିଏ ବାଉଁଶ ପାତିଆ ତିଆରି କରୁଛି । କିଏ କୂଅ ତିଆରି କରୁଛି ତ ଆଉ କିଏ ଚଉରା ତିଆରି କରିବାରେ ବ୍ୟସ୍ତ ରହିଛି । କାରଣ ହାତରେ ଆଉ ମାତ୍ର ଗୋଟିଏ ଦିନ ଏଣୁ ସମସ୍ତେ ନିଜ ନିଜର କାମରେ ଲାଗି ଯାଇଛନ୍ତି । ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି ସମସ୍ତଙ୍କ ସଜବାଜ ।
ତେବେ ଏହି ବର୍ଷ ଦୀର୍ଘ ବର୍ଷ ହେବ ଅନୁଷ୍ଠିତ ହୋଇ ଆସୁଛି । ଚଳିତ ବର୍ଷ ଏହାକୁ ଅଧିକ ରଙ୍ଗୀନ କରିବା ପାଇଁ ନୂଆ ରୂପରେ ପଡିଆକୁ ସଜା ଯାଇଛି । ଏହି ବର୍ଷ ୨୪ଟି ଜନଜାତି ଅଂଶ ଗ୍ରହଣ କରିବେ । ସେଥି ମଧ୍ୟରେ ଅଛନ୍ତି ବଣ୍ଡା,ସାନ୍ତାଳ ଭଳି ଅନେକ ଆଦିବାସୀ ଏବଂ ଜନଜାତି । ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବାକୁ ଥିବା ଏହି ମେଳାରେ ଯୋଗ ଦେବା ପାଇଁ ବହୁ ଉପାନ୍ତ ଅଞ୍ଚଳରୁ ବହୁ ଜନଜାତି ମାନେ ଆସିଥିବା ଦେଖିବାକୁ ମିଳିଛି । ଏମାନେ ଦୀର୍ଘ ୪ ଦିନ ହେବ ଆସି ଏଠାରେ ନିଜର ପ୍ରସ୍ତୁତି ଚଳାଇଛନ୍ତି । ସେପଟେ ଚଳିତ ବର୍ଷ ସବୁ ବର୍ଷଠାରୁ ଅଧିକ ମନୋରମ ହେବ ବୋଲି ଆୟୋଜକ ସଂସ୍ଥା ପକ୍ଷରୁ କୁହାଯାଇଛି । ଏବେ ଶୀତର ପ୍ରଭାବ କମିଥିବାରୁ ପ୍ରବଳ ଜନ ସମାଗମ ହେବ ବୋଲି ଅନୁମାନ କରାଯାଇଛି । ତେବେ ଲୋକଙ୍କ ଗହଳି ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି ।
ଆସନ୍ତା କାଲିଠାରୁ ପ୍ରଦର୍ଶନୀ ପଡିଆ ସାଜିବ ଉପାନ୍ତ ଅଞ୍ଚଳ । ବନ ପାହାଡ ଏବଂ ଆଦିବାସୀଙ୍କ ଗହଣରେ ରାଜଧାନୀ ସାଜିବ ଦୁର୍ଗମ ଅଞ୍ଚଳର ସେ ଆଦିବାସୀ ବାସସ୍ଥଳୀ । ଏହି ଆଦିବାସୀ ମେଳାରେ ଜଙ୍ଗଲ ଜାତ ଦ୍ରବ୍ୟ ମିଳିବ । ଯାହାକି ସହରରେ ମିଳିବା ଅସମ୍ଭବ । ଲାଖ,ଝୁଣା ଭଳି ଅନେକ ଦ୍ରବ୍ୟ ଏଠାରେ ମିଳିବ । ଯଦିଓ ଏହା ଭୁବନେଶ୍ୱରରେ ମିଳୁଛି ତେବେ ଏହାର ମୂଲ୍ୟ ଅଧିକ ଟଙ୍କା ରହୁଛି । ମାତ୍ର ମେଳାରେ ଏହାର ମୂଲ୍ୟ କମ ରହିବ ବୋଲି ସୂଚନା ମିିଳିଛି । ତେବେ ଏଠାରେ ଘର କରଣା ସହିତ ବହୁ ଖାଦ୍ୟ ମଧ୍ୟ ମିଳିବ । ଜଙ୍ଗଲରେ ମିଳୁଥିବା ବହୁ ସୁସ୍ୱାଦୁ ଫଳ ମଧ୍ୟ ଏଠାରେ ମିଳିବ । ତେବେ ଖାଦ୍ୟ ପ୍ରେମୀଙ୍କ ଭିଡ ଏଠାରେ ଜମିବ । ସେପଟେ ଘର ସଜାଡିବା ପାଇଁ ବହୁ ଉପକରଣ ମଧ୍ୟ ଏଠାରେ ମିଳିବ ବୋଲି ସୂଚନା ଦେଇଛି ଆୟୋଜକ କମିଟି । ଏଠାରେ ବହୁ ଫୁଡ ଷ୍ଟଲ ମଧ୍ୟ ପଡିବ । ସହରରେ ଆସି ଲୋକଙ୍କ ସହ ମିଶିବା ଏବଂ ଏତେ ବଡ ଆୟୋଜନ ହେଉଥିବାରୁ ବେଶ ଖୁସି ଅଛନ୍ତି ଭାଗ ନେଇଥିବା ଜନଜାତି ।