ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଲୋକଙ୍କ ଜୀବନ ସହ ଖେଳ । ପେଣ୍ଡାଲ ଉପରେ ଚାଲିଛି ବିପଦଜନକ ଭାବେ ଡ୍ୟାନ୍ସ । ଟିକେ ଓଲମ ବିଲମ ହେଲେ କଥା ସରିଲା । ଘଟିବ ବିରାଟ ଅଘଟଣ । ଯାହା ତ’ ହେବ ହେବ ଦଳା ଚକଟାରେ କିନ୍ତୁ ଅଧା ଲୋକଙ୍କ ପ୍ରାଣ ଚାଲିଯିବ । ଏ କଥା ନୁହେଁ ଯେ, ଏ ସମ୍ପର୍କରେ କେହି କିଛି ଜାଣିନାହାନ୍ତି ବରଂ ସବୁ ଜାଣି ଚୁପ ରହୁଛନ୍ତି । ସେ ଆୟୋଜକ କମିଟି ହୁଅନ୍ତୁ ଅବା ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ, ଏହାକୁ ବାରଣ କରିବା ବଦଳରେ ଓଲଟି ତାଳିମାରି ମଜା ଉଠାଉଛନ୍ତି । ହେଲେ ଦୁର୍ଘଟଣା ଯେ ମୁଣ୍ଡ ଉପରେ ଝୁଲୁଛି ତାକୁ ଯେମିତି ସବୁ ପାଶୋରୀ ଯାଇଛନ୍ତି । ଯାହାକୁ ନେଇ ଏବେ ଦେଖା ଦେଇଛି ଅସନ୍ତୋଷ ।
ଆମେ କହୁଛୁ କୁମ୍ଭ ମେଳା ଲାଗି ଖଣ୍ଡଗିରିରେ ପଡିଥିବା ଯାତ୍ରୀ ପାର୍ଟି କଥା । ରାତି ହେଲେ ଲୋକଙ୍କ ଅସମ୍ଭାଳ ଭିଡ଼ ଜମୁଛି । ମନୋରଞ୍ଜନ ସାଙ୍ଗକୁ ଯାତ୍ରା କାହାଣୀ ଲୋକଙ୍କୁ ଟାଣି ଆଣୁଛି ଗୋଟିଏ ପାଲ ତଳକୁ । ହେଲେ ଏହାରି ଭିତରେ ନିଜ ପାର୍ଟିର ଦବଦବା ଦେଖାଇବାକୁ ଯାଇ ଲୋକଙ୍କ ଜୀବନ ସହ ଖେଳ ଖେଳୁଛି ଯାତ୍ରା କମିଟି । ଆମେ ଏଥିପାଇଁ ଏକଥା କହୁଛୁ କାରଣ ନିଆଁ ସହ ଖେଳ ଖେଳୁଛନ୍ତି ଯାତ୍ରାପାର୍ଟି । ପେଣ୍ଡାଲ ଉପରେ ଆଉ ଭରା ପବ୍ଲିକରେ ଚାଲିଛି ନିଆଁକୁ ନେଇ ଖେଳ । ନଜର ପକାନ୍ତୁ ଉପରୋକ୍ତ ଫଟୋ ଉପରେ । କିଭଳି ଜୀବନକୁ ବାଜି ଲଗାଇ ଖେଳ ଖେଳାଯାଉଛି ତାହା ସହଜେ ଆପଣ ବୁଝିଯିବେ ।
୩ଟି ରିମକୁ ଯୋଡାଯାଇ ନିଆଁ ଲଗାଯାଉଛି । ଆଉ ତାରି ଉପରେ ସର୍କସ କରାଯାଉଛି । କେବଳ ଏତିକି ନୁହେଁ ପୁଣି ଏକ ତାରରେ ନିଆଁ ଲଗାଇ ଡ୍ୟାନ୍ସ କରୁଥିବା ଅଭିନେତା ଓ ଅଭିନେତ୍ରୀମାନେ ଡିଆଁ ମାରୁଛନ୍ତି । ସବୁଠୁ ଗୁରୁତ୍ୱ ପୂର୍ଣ୍ଣ କଥା ହେଉଛି ବେଳେ ବେଳେ ସେହି ନିଆଁ ପୁଣି ସେମାନଙ୍କ ଦେହରେ ଲାଗିଯାଉଛି । ଯଦିବା ଏଯାବତ ସେମିତି କିଛି ଅଘଟଣ ଘଟିନାହିଁ ତଥାପି ଯେ ଏଥିପାଇଁ କିଛି ଅଘଟଣ ନଘଟିବ ତାହା କିଏ କହିବ । ସେପଟେ ପୁଣି ଯାତ୍ରା ପେଣ୍ଡାଲ ସାରା କପଡ଼ା ଓ ପାଲରେ ଭର୍ତ୍ତି । ଆଉ ତା’ରି ଭିତରେ ହଜାର ହଜାର ଦର୍ଶକ । ଭଗବାନ ନକରନ୍ତୁ ଯଦିବା କୌଣସି ନିଆଁ ଗୁଳ ଉଡି ଯଦି ପାଲରେ ପଡିଲା ତେବେ କଥା ସରିଲା । ଚାହୁଁଚାହୁଁ ବୁଦ୍ଧିବାଟ ହଜି ଯିବ । ନିଆଁକୁ ଆୟତ୍ତ କରିବା ଲାଗି ଆୟାଜକ କମିଟି କ’ଣ ବ୍ୟବସ୍ଥା କରିଛନ୍ତି ତାହା ତ’ ପରେ ଜଣାପଡିବ କିନ୍ତୁ ଜୀବନ ବଞ୍ଚାଇବା ଲାଗି ଲୋକେ ଯେତେବେଳେ ଧାଇଁବା ଆରମ୍ଭ କରିବେ ସେତେବେଳେ ପରିସ୍ଥିତି ଯେ, କ’ଣ ହେବ ତାହା ସହଜେ ଅନୁମେୟ ।
ଏ ସମ୍ପର୍କରେ ଯେତେବେଳେ ଆମକୁ ସୂଚନା ମିଳିଥିଲା ସତ କ’ଣ ଜାଣିବାକୁ ଆମେ ପହଞ୍ଚିଥିଲୁ ସେଠାରେ । ଯାହା ଦେଖିଥିଲୁ ତାହା ଆମକୁ ବି ତାଜୁବ କରିଥିଲା । ଆଇନ୍ କହୁଛି ଯାତ୍ରା ପେଣ୍ଡାଲରେ ଏଭଳି କରିବା ଲାଗି ଅନୁମତି ନଥାଏ । ତଥାପି ସମସ୍ତଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି କିଭଳି ଲୋକଙ୍କ ଜୀବନ ସହ ଏମିତି ଖେଳ ଖେଳାଯାଉଛି ତାକୁ ନେଇ ଉଠିଛି ପ୍ରଶ୍ନ । ଆଶା କରିବୁ ଏହି ରିପୋର୍ଟ ପଢ଼ିବା ପରେ ବିଭାଗୀୟ ଅଧିକାରୀ ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ । ଆଉ ଯାତ୍ରାପାର୍ଟିଙ୍କୁ ଏଭଳି ନକରିବାକୁ ଚେତାଇ ଦେବେ । ନଚେତ କେତେବେଳେ ଯେ, ଏହି ଘଟଣାକୁ ନେଇ ଅଘଟଣ ଘଟିବ ଆଉ ସେଥିପାଇଁ ପୂରା ପ୍ରଶାସନ ଦାୟୀ ରହିବ । ବ୍ୟୁରୋ ରିପୋର୍ଟ ଏଟିଆର୍ ନ୍ୟୁଜ