ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆଜି ଦେଶବ୍ୟାପୀ ଦିନିକିଆ ବନ୍ଦ। ପୁଲୱାମାରେ ଆତଙ୍କବାଦୀ ଆକ୍ରମଣକୁ ବିରୋଧ କରି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ସୋମବାର ଦେଶବ୍ୟାପୀ ଦିନିକିଆ ବନ୍ଦ ଡାକରା ଦିଆଯାଇଛି। ଫଳରେ ଦୋକାନ ବଜାର ବନ୍ଦ ରହିଛି । ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ବ୍ୟବସାୟୀମାନେ ଉପବାସରେ ରହିବେ ।ବ୍ୟବସାୟୀମାନେ ଦିନସାରା ଉପବାସ ରହିବା ସହିତ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଶୋଭାଯାତ୍ରା ମାନ ହେବ ବୋଲି ସର୍ବଭାରତୀୟ ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି।ସକାଳ ୭ଟାରୁ ଅପରାହ୍ଣ ୪ଟା ପର୍ୟ୍ୟନ୍ତ ଦୋକାନ ବଜାର ବନ୍ଦ ରହିବ ବୋଲି ବ୍ୟବସାୟୀ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।
ସମ୍ବଲପୁର ଚାମ୍ବର ଅଫ କମର୍ସ ସଭାପତି ଅରୁଣ ପଟଓ୍ୱାରୀ କହିଛନ୍ତି,“ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଏହି ବନ୍ଦ ପାଳନ କରାଯାଉଛି। ସମସ୍ତ ବ୍ୟବସାୟୀ ବନ୍ଧୁଙ୍କୁ ଆମେ ଅନୁରୋଧ କରିଛୁ ବନ୍ଦରେ ସାମିଲ ହେବାକୁ। ଗାଡି ଚଳାଚଳ ସ୍ୱାଭାବିକ ରହିବ। ଔଷଧ ଦୋକାନ ଖୋଲା ରହିବା ଜରୁରୀ ହୋଇଥିବାରୁ ବନ୍ଦରେ ସେମାନଙ୍କୁ ସାମିଲ କରାଯିବାକୁ ବାଧ୍ୟବାଧକତା ନାହିଁ। ସେମାନେ ଚାହିଁଲେ ବନ୍ଦରେ ସାମିଲ ହୋଇପାରିବେ।”
ସଂଧ୍ୟା ୬ଟାରେ ଭୁବନେଶ୍ବରସ୍ଥିତ ଓଡ଼ିଶା ବ୍ୟବସାୟୀ ମହାସଂଘର କାର୍ୟ୍ୟଳୟରୁ ଏକ ମହମବତି ଶୋଭାଯାତ୍ରା ବାହାରି ରାଜଭବନସ୍ଥିତ ମଧୁବାବୁଙ୍କ ପ୍ରତିମୂର୍ତ୍ତି ପର୍ୟ୍ୟନ୍ତ ଯିବା ସହିତ ଯବାନଙ୍କ ଅମର ଆତ୍ମାର ସଦଗତି ପାଇଁ ଏହି ମହମବତି ଶୋଭାଯାତ୍ରା କରାଯିବ ବୋଲି ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି। ଏଥିଯୋଗୁ ରାଜ୍ୟରେ ପ୍ରାୟ ୨୦ ଲକ୍ଷ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବ। ଅତିକମରେ ୧୦୦୦ କୋଟି ଟଙ୍କାର କାରବାର ରାଜ୍ୟରେ ଠପ୍ ହୋଇଯିବ ବୋଲି ସେ ମତ ଦେଇଛନ୍ତି।