ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ପୁଣି ଥରେ ଟେଷ୍ଟ କ୍ରିକେଟରେ ନିଜର ଦବଦବା ଜାରି ରଖିଛନ୍ତି । ରବିବାର ପ୍ରକାଶ ପାଇଥିବା ଟେଷ୍ଟ ର୍ୟାଙ୍କିଙ୍ଗରେ ବିରାଟ କୋହଲି ପୁଣିଥରେ ଏକ ନମ୍ବର ସ୍ଥାନରେ ରହିଛନ୍ତି । ସେ ୯୨୨ ପଏଣ୍ଟ ପାଇ ସର୍ବଶ୍ରେଷ୍ଠ ସ୍ଥାନରେ ରହିଛନ୍ତି । ତାଙ୍କ ପଛକୁ ନ୍ୟୁଜିଲାଣ୍ଡ ଦଳର ଅଧିନାୟକ କେନଉଲିୟମସନ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେ ୮୯୭ ପଏଣ୍ଟ ପାଇଛନ୍ତି । କୋହଲି ଉଭୟ ଟେଷ୍ଟ ଏବଂ ଦିନିକିଆରେ ଏକ ନମ୍ବର ସ୍ଥାନରେ ରହିଛନ୍ତି । ତେବେ ଏହି ଟେଷ୍ଟ ର୍ୟାଙ୍କରେ ଟପ ୩୦ ଭିତରେ ତିନିଜଣ ଭାରତୀୟ ସ୍ଥାନ ପାଇଛନ୍ତି ।
ଚେତେଶ୍ୱର ପୂଜାରା ୮୮୧ ପଏଣ୍ଟ ପାଇ ତିନ ନମ୍ବର ସ୍ଥାନରେ ରହିଛନ୍ତି । ଆଜିଙ୍କ୍ୟ ରାହାଣେ ଦୁଇଟି ସ୍ଥାନ ଉପରକୁ ଉଠି ୨୧ ମ୍ବର ସ୍ଥାନରେ ରହିଛନ୍ତି । ସେପଟେ ପ୍ରଥମ ଚାରୋଟି ସ୍ଥାନରେ ଯେଉଁ ଖେଳାଳି ଥିଲେ ସେଥିରେ କୌଣସି ପରିବର୍ତ୍ତନ ହୋଇନି । ବାକି ଖେଳାଳିଙ୍କ ସ୍ଥାନ ପରିବର୍ତ୍ତନ ହୋଇଛି । ଚତୁର୍ଥ ସ୍ଥାନରେ ରହିଛନ୍ତି ଅଷ୍ଟ୍ରେଲିଆ ଦଳର ପୂର୍ବତନ ଅଧିନାୟକ ଷ୍ଟିଭ ଷ୍ମିଥ । ସେ ବଲ ଟ୍ୟାମ୍ପେରିଂ କେସରେ ବର୍ଷେ ପାଇଁ ଦଳରୁ ବାହାରେ ରହିଥିଲେ । ଏବେ ପୁଣି ଥରେ ଦଳକୁ ଫେରିଛନ୍ତି ଷ୍ମିଥ ଏବଂ ସାଥୀ ଖେଳାଳି ୱାନର ।
ବୋଲରଙ୍କ ମାନ୍ୟତା ତାଲିକାରେ ଦକ୍ଷିଣ ଆଫ୍ରିକାର କାଗିସୋ ରବାଦାଙ୍କୁ ପଛକୁ ଠେଲି ଦେଇ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ ଶୀର୍ଷ ସ୍ଥାନ ଅକ୍ତିଆର କରିଛନ୍ତି। ଏଥି ସହିତ ୨୦୦୬ ପରେ ତଥା ଗ୍ଲେନ୍ ମ୍ୟାକ୍ଗ୍ରାଙ୍କ ପରେ ଆଇସିସି ମାନ୍ୟତାର ଶୀର୍ଷ ସ୍ଥାନ ଦଖଲ କରିବାରେ କମିନ୍ସ ପ୍ରଥମ ଅଷ୍ଟ୍ରେଲୀୟ ହୋଇଛନ୍ତି। କମିନ୍ସଙ୍କ ସହିତ ଇଂଲଣ୍ଡ ଦ୍ରୁତ ବୋଲର ଜିମ୍ମି ଆଣ୍ଡରସନ୍ ଓ ରବାଦା ପ୍ରଥମ ତିନି ସ୍ଥାନରେ ରହିଛନ୍ତି। ଭାରତୀୟ ସ୍ପିନର ରବୀନ୍ଦ୍ର ଜାଦେଜା (୭୯୪ ପଏଣ୍ଟ୍) ବୋଲରଙ୍କ ତାଲିକାରେ ପଞ୍ଚମ ସ୍ଥାନ ପାଇଥିଲା ବେଳେ ସେ ମଧ୍ୟ ଅଲ୍ରାଉଣ୍ଡ୍ର ମାନ୍ୟତା ତାଲିକାରେ ୱେଷ୍ଟଇଣ୍ଡିଜ୍ର ଜାସନ୍ ହୋଲ୍ଡର ଓ ବାଂଲାଦେଶର ସାକିବ୍ ଅଲ୍ହାସନଙ୍କ ପଛକୁ ତୃତୀୟ ସ୍ଥାନରେ ରହିଛନ୍ତି।