ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆସନ୍ତା ୨୧ ତାରିଖରେ ବନ୍ଦ ଡାକରା ଦେଇଛି ନବନିର୍ମାଣ କୃଷକ ସଂଗଠନ । ପ୍ରାଇସ,ପ୍ରେଷ୍ଟିଜ ଏବଂ ପେନସନ ଦାବିରେ ବନ୍ଦ ଡାକରା ଦେଇଛି ସଂଘ । ତେବେ ଏହି ବନ୍ଦ ପାଇଁ ସଂଘ ରାଜ ନୈତିକ ଦଳ ଏବଂ ଅନ୍ୟ ସଂଗଠନକୁ ଆହ୍ୱାନ କରିଥିଲା । ତେବେ ବିଜେପି ଏହି ବନ୍ଦ ଡାକରାକୁ ନୈତିକ ଭାବରେ ସମର୍ଥନ କରିବ । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା । ସେ କହିଛନ୍ତି ଆସନ୍ତା ୨୧ ବନ୍ଦରେ ବିଜେପି ସେମାନଙ୍କ ସହିତ ଯୋଡି ହେବ । ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ଶ୍ରୀ ପଣ୍ଡା କହିଛନ୍ତି କି ଗଣତନ୍ତ୍ରରେ ପ୍ରତିବାଦ କରିବା ଏବଂ ମତ ରଖିବା ସମସ୍ତଙ୍କର ମୌଳିକ ଅଧିକାର । କିନ୍ତୁ ରାଜଧାନୀରେ ଚାଷୀମାନେ ଆନ୍ଦୋଳନ କରିବା ପାଇଁ ଆସୁଥିବା ବେଳେ ପୋଲିସ ସେମାନଙ୍କୁ ଉଠାଇ ନେବା ଏବଂ ଗିରଫ କରି ଆନ୍ଦୋଳନକୁ ଭଣ୍ଡୁର କରିବା ଏକ ନିନ୍ଦନୀୟ ଘଟଣା । ଶକ୍ତି ପ୍ରୟୋଗ କରି ଚାଷୀଙ୍କ ଗଣତନ୍ତ୍ର ଆନ୍ଦୋଳନର କଣ୍ଠରୋଧ କରିବା ବଦଳରେ ସେମାନଙ୍କ ସହ ଆଲୋଚନା କରାଯିବା ବାଞ୍ଝନୀୟ ବୋଲି ଶ୍ରୀ ପଣ୍ଡା କହିବା ସହ ରାଜ୍ୟ ସରକାରଙ୍କର ଚାଷୀ ବିରୋଧୀ ଓ ଏକଛତ୍ରବାଦୀ ମାନସିକତାକୁ ବିଜେପି ବିରୋଧ କରୁଛି ବୋଲି ସ୍ପଷ୍ଟ କରିଛନ୍ତି।
ଚାଷୀମାନେ ‘ଥ୍ରୀପି’ ଦାବିରେ ରାଜଧାନୀକୁ ଆସୁଥିବା ବେଳେପୋଲିସ ସେମାନଙ୍କୁ ଆନ୍ଦୋଳନ କରିବା ପାଇଁ ଦେଇନାହିଁ । ଅଧାବାଟରୁ ଚାଷୀଙ୍କୁ ଉଠାଇ ନେଇଛି । ଏଣୁ ଚାଷୀଙ୍କୁ ରାଜଧାନୀ ମନ ହେବା ଭଳିି ଘଟଣା ଦେଖିବାକୁ ମିଳିଥିଲା । ଏଣୁ ପ୍ରଥମେ ଚାଷୀମାନେ ନିଜ ଅଞ୍ଚଳରେ ଆନ୍ଦୋଳନ କରିଥିଲେ । ରାସ୍ତାଘାଟ ବନ୍ଦ କରି ଦାବି ପୂରଣ ପାଇଁ ପ୍ରତିବାଦ କରିଥିଲେ । ତେବେ ଏଥିରେ କୌଣସି ଫଳ ନମିଳିବା କାରଣରୁ ସଂଘ ଓଡିଶା ବନ୍ଦ କରିବାର ନିଷ୍ପତି ନେଇଥିଲା । ଏହି ବନ୍ଦ ହେଲେ କାଳେ ସରକାରଙ୍କ ନିଦ ଭାଙ୍ଗିବ ଏବଂ ସେମାନଙ୍କ ଦାବି ପୂରଣ ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।