ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତ ଇତିହାସ ପାଇଁ ଫେବ୍ରୁଆରୀ ୧୪, ୨୦୧୯ ଥିଲା କଳା ଦିନ । କାରଣ ଜମ୍ମୁ-କଶ୍ମୀର ପୁଲୱାମାରେ ଆତଙ୍କବାଦୀମାନେ ସିଆରପିଏଫ୍ କାଫିଲା ଉପରେ ହାତ୍ମଘାତୀ ହମଲା କରିଥିଲେ । ଏହି ଜଘନ୍ୟ କାଣ୍ଡ ପାଇଁ ଭାରତ ତାର ବହୁମୂଲ୍ୟ ସମ୍ପତ୍ତି ହରାଇଛି ।
ସେବେଠାରୁ ମାହୋଲ ପୂରା ସରଗରମ ହୋଇ ରହିଛି । ପ୍ରତ୍ୟେକ ହିନ୍ଦୁସ୍ତାନୀଙ୍କ ହୃଦୟରେ ପାକିସ୍ତାନୀଙ୍କ ବିରୋଧରେ କ୍ରୋଧର ନିଆଁ କୁହୁଳୁଛି । ଏହାସହିତ ପାକିସ୍ତାନ ଠାରୁ ସମସ୍ତ ସମ୍ପର୍କ କାଟିବା ପାଇଁ ଦାବି କରାଯାଉଛି । ଏଠି ପ୍ରଶ୍ନ ଉଠୁଛି କି ଚଳିତ ବିଶ୍ୱକପ୍ ରେ କ’ଣ ପାକିସ୍ତାନ ବିରୋଧରେ ଭାରତୀୟ ଟିମ୍ ମ୍ୟାଚ୍ ଖେଳିବ?
ଏଭଳି ପରିସ୍ଥିତିରେ ପ୍ରକୃତରେ ପାକିସ୍ତାନ ବିରୋଧରେ ଭାରତୀୟ ଟିମ୍ ମ୍ୟାଚ୍ ଖେଳିବ କି ନାହିଁ ବର୍ତ୍ତମାନ ଏହା କହିବା କଷ୍ଟକର । ଯଦି କିଛି ଦିନ ଭିତରେ ପରିସ୍ଥିତିରେ ସୁଧାର ନ ଆସେ ତେବେ ବିସିସିଆଇ ପକ୍ଷରୁ ବଡ ନିଷ୍ପତ୍ତି ନିଆଯାଇ ପାରିବ । ଏପର୍ଯ୍ୟନ୍ତ ଏନେଇ ଭାରତୀୟ ଦଳ ପକ୍ଷରୁ କୌଣସି ଜବାବ ଆସି ନାହିଁ ।
ବିଶ୍ୱକପ ୨୦୧୯ ର ଫର୍ମାଟ ପ୍ରତ୍ୟେକ ଥର ଠାରୁ ଭିନ୍ନ ଅଛି । ଏଥିରେ ଭାଗ ନେଇଥିବା ୧୦ଟି ଟିମକୁ ଗ୍ରୁପ୍ ରେ ବଣ୍ଟା ଯାଇ ନାହିଁ । ବରଂ ସମସ୍ତ ଟିମ୍ ସମସ୍ତଙ୍କ ବିପକ୍ଷରେ ଖେଳିବେ । ଏହାସହିତ ଗୋଟେ ଟିମ୍ କୁ ୯ ଥର ଖେଳିବା ପାଇଁ ମଉକା ମିଳିବ ।
ଚଳିତ ବିଶ୍ୱକପର ଗୋଟେ ଗୋଟେ ମ୍ୟାଚ୍ ପ୍ରତ୍ୟେକ ଟିମ୍ ପାଇଁ ଗୁରୁତ୍ୱ ରହିବ । ଯେକୌଣସି ଟିମ୍ ପାଇଁ ଗୋଟେ ମାତ୍ର ହାର ଭାରି ପଡିପାରେ । ଇତି ମଧ୍ୟରେ ଟିମ୍ ଇଣ୍ଡିଆ ପାକିସ୍ତାନ ବିରୋଧରେ ନଖେଳିବାର ଅର୍ଥ ଖାଲିଟାରେ ପାକିସ୍ତାନକୁ ସ୍କୋର ଦେବା ।
ଭାରତ-ପାକିସ୍ତାନ ମଧ୍ୟରେ ମୁକାବିଲା ଜୁନ୍ ୧୬ ମ୍ୟାନଚେଷ୍ଟରରେ ହେବ । ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା,ଅଷ୍ଟ୍ରେଲିଆ,ନ୍ୟୁଜିଲାଣ୍ଡ ସହିତ ଟିମ୍ ଇଣ୍ଡିଆର ମ୍ୟାଚ୍ ସରି ଯାଇଥିବ । ଯଦି ପ୍ରଥମରୁ ଭାରତୀୟ ଟିମ୍ ବିଜୟ ହାସଲ କରୁଛି ତେବେ ପାକିସ୍ତାନ ବିପକ୍ଷରେ ମୁକାବିଲାକୁ ବହିଷ୍କାର କରି ପାରିବ ।