ଭୁବନେଶ୍ୱର (ଏଟିଆର ବ୍ୟୁରୋ); ମ୍ୟାଟ୍ରିକ ପରୀକ୍ଷା ଛାତ୍ର ଜୀବନର ପ୍ରଥମ ବଡ ପରୀକ୍ଷା କହିଲେ ଅତ୍ୟୁକ୍ତି ହେବ ନାହିଁ । ତେବେ ଏହି ପରୀକ୍ଷା ଉପରେ ସମସ୍ତଙ୍କ ନଜର ଥାଏ । ଏଣୁ ଏହି ପରୀକ୍ଷାକୁ ଯେତେ ସୁରକ୍ଷାର ସହିତ କରିଲେ ମଧ୍ୟ କିଛି ଲୋକଙ୍କ ପାଇଁ ଗଳିଆ ହେଉଥିବା ଦେଖିବାକୁ ମିଳିଛି । ଗତବର୍ଷ ବାରମ୍ବାର ପ୍ରଶ୍ନପତ୍ର ଲିକ ହୋଇଥିଲା । ଯାହା ଫଳରେ ଛାତ୍ର ଛାତ୍ରୀମାନେ ବହୁତ ଅସୁବିଧାର ସମୁଖୀନ ହେବାକୁ ପଡିଥିଲା । ଏଣୁ ଚଳିତ ବର୍ଷ ଏହି ପ୍ରଶ୍ନପତ୍ର ଲିକକୁ ରୋକିବା ପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଇଛି । ପୂର୍ବର ପ୍ରଶ୍ନପତ୍ର ଆସି ପରୀକ୍ଷା ସେଣ୍ଟରରେ ରହୁଥିଲା । ଏଣୁ ପ୍ରଶ୍ନପତ୍ର ଲିକ ହୋଇ ଯାଉଥିଲା । କିନ୍ତୁ ଏଇ ବର୍ଷ ପରୀକ୍ଷା ଦିନ ସକାଳ ସଢ଼େ ୮ଟାରେ ପରୀକ୍ଷା ହଲରେ ପହଁଞ୍ଚିବ ପ୍ରଶ୍ନ ପତ୍ର । ଏବଂ ପରୀକ୍ଷାର୍ଥୀଙ୍କ ସାମନାରେ ହିଁ ଏହି ପ୍ରଶ୍ନପତ୍ର ଖୋଲାଯିବ । ଏଭଳି ସୂଚନା ଦେଇଛନ୍ତି ବିଭାଗୀୟ ସଚୀବ ।
ଗତବର୍ଷ ପରୀକ୍ଷା ହଲରେ ପଡିଥିବା ଶିକ୍ଷକମାନେ ପ୍ରଶ୍ନପତ୍ର ଲିକ କରାଉଥିଲେ । ସେମାନେ ମୋବାଇଲ ମାଧ୍ୟରେ ଫଟୋ ଉଠାଇ ଭାଇରାଲ କରାଇଥିଲେ । ଏଣୁ ଚଳିତ ବର୍ଷ ପରୀକ୍ଷା ହଲ ମଧ୍ୟକୁ ସୁରରିଟେଣ୍ଡେଟଙ୍କୁ ଛାଡିଦେଲେ ଅନ୍ୟ କେହିବି ହଲକୁ ମୋବାଇଲ ବ୍ୟବହାର କରିପାରିବେ ନାହିଁ । ସ୍ପେସାଲ ସ୍କ୍ୱାଡ ମଧ୍ୟ ଗଠନ କରା ଯାଇଛି । ଏମାନେ କୌଣସି ବି ମୂହୁର୍ତ୍ତରେ ପରୀକ୍ଷା ସେଣ୍ଟରରେ ପହଁଞ୍ଚି ପାରନ୍ତି । ଏଭଳି ଭାବରେ କଡା ବ୍ୟବସ୍ଥାରେ ଚଳିତ ବର୍ଷ ପରୀକ୍ଷା ହେବ ବୋଲି ସୂଚନା ମିଳିଛି ।
ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ ମ୍ୟାଟ୍ରିକ ପରୀକ୍ଷା । ଚଳିତ ବର୍ଷ ରାଜ୍ୟରେ ୨ ହଜାର ୮୩୦ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ୫ ଲକ୍ଷ ୭୨ ହଜାର ୬୯୯ ଛାତ୍ରଛାତ୍ରୀ। ସେହିପରି ୩ ହଜାର ୯ଜଣ ମଧ୍ୟମା, ୧୨ ହଜାର ୧୨ ଜଣ ଓପନ ସ୍କୁଲ ପରୀକ୍ଷା ଦେବେ। ଏଥିପାଇଁ ୩୦୪ଟି ନୋଡାଲ୍ ସେଣ୍ଟର କରାଯାଇଛି। ପ୍ରଶ୍ନପତ୍ର ପହଞ୍ଚାଇବା ପାଇଁ ଗଠନ କରାଯାଇଛି ୬୯୩ଟି ଡେସପାଚ୍ ଟିମ୍।