ମୁମ୍ବାଇ (ଏଟିଆର ବ୍ୟୁରୋ): ଜମ୍ମୁ-କଶ୍ମୀର ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହୀଦ ଯବାନଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ଆଗେଇ ଆସିଛନ୍ତି । ଏଥିରୁ ବାଦ୍ ପଡି ନାହାନ୍ତି ବଲିଉଡ ସେଲିବ୍ରେଟି । କିଏ କୋଟିଏ ରୁ ଅଧିକ ସହାୟତା କଲେଣି ତ ଆଉ କିଏ ଲକ୍ଷେରୁ ଅଧିକ । ସହୀଦଙ୍କ ପରିବାରକୁ ସହାୟତା କରିବା ପାଇଁ ବିଗ୍ ବି, ସଲମାନ୍ ଖାନ୍, ଅକ୍ଷୟ କୁମାର ଆଦି ଅନେକ କଳାକାର ଅଣ୍ଟା ଭିଡିଛନ୍ତି । ଇତି ମଧ୍ୟରେ ହରିଆଣାର ଷ୍ଟାର ଡାନ୍ସର ସପ୍ନା ଚୌଧରୀ ବି ସହୀଦଙ୍କ ପରିବାରକୁ ସାହାଯ୍ୟ କରିବାକୁ ଚାହିଁକି ବି କରି ପାରୁ ନାହାନ୍ତି ।
ପ୍ରକୃତରେ ସପ୍ନା ଏକ ଇଭେଣ୍ଟର ସମସ୍ତ ଟଙ୍କା ସହୀଦଙ୍କ ପରିବାରକୁ ଦେବାକୁ ଚାହୁଁଛନ୍ତି । ସେଥିପାଇଁ ସେ ଲୁଧିଆନାରେ ଏକ ଇଭେଣ୍ଟରେ ପରଫର୍ମ ମଧ୍ୟ କରିଥିଲେ । ଏହି ସୋ’ ପାଇଁ ସେ ୮ ଲକ୍ଷ ଟଙ୍କା ଦାବି କରିଥିଲେ । କିନ୍ତୁ ତାଙ୍କୁ ଇଭେଣ୍ଟ ପକ୍ଷରୁ ୬ ଲକ୍ଷ ଟଙ୍କା ଦିଆଯାଇଛି ।
ଇଭେଣ୍ଟ ଅର୍ଗାନାଇଜର ତରଫରୁ ସମ୍ପୂର୍ଣ୍ଣ ଟଙ୍କା ନମିଳିବାରୁ ସପ୍ନାଙ୍କ ଭାଇ ବିକାଶ ଥାନାରେ ଅଭିଯୋଗ କରିଛନ୍ତି । ମିଡିଆ ସାକ୍ଷାତକାରରେ ବିକାଶ କହିଛନ୍ତି କି , ଏହି ସୋ’ ର ସମସ୍ତ ଟଙ୍କା ସେ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହୀଦ ହୋଇଥିବା ଯବାନଙ୍କ ପରିବାରକୁ ଦାନ କରିବେ ବୋଲି ନିଷ୍ପତ୍ତି ନେଇଥିଲେ । କିନ୍ତୁ ଇଭେଣ୍ଟ ଅର୍ଗାନାଇଜର ପକ୍ଷରୁ ତାଙ୍କୁ ଠକାମୀର ଶିକାର ହେବାକୁ ପଡିଛି । ବିକାଶଙ୍କ ଅଭିଯୋଗକୁ ନେଇ ଲୁଧିଆନା ପୋଲିସ କେସ୍ କରିଛି ।
ଏହି ମାମଲାରେ ପୋଲିସଙ୍କ ସୁତ୍ରରୁ ଜଣା ପଡିଛି ଯେ, ସପ୍ନା ଏବଂ ତାଙ୍କ ଭାଇଙ୍କ ପାଖରେ ଇଭେଣ୍ଟ ଅର୍ଗାନାଇଜରର କୌଣସି ଠିକଣା ନାହିଁ । ଯେଉଁ ହୋଟେଲରେ ସପ୍ନା ଏବଂ ତାଙ୍କ ଭାଇ ରହିଥିଲେ ତାହା ଅର୍ଗାନାଇଜର୍ସଙ୍କ ନାଁରେ ବୁକ୍ କରାଯାଇଥିଲା । ବର୍ତ୍ତମାନ ସିସିଟିଭି ଫୁଟେଜ୍ ଦ୍ୱାରା ଅର୍ଗାନାଇଜର୍ସଙ୍କୁ ଚିହ୍ନିବା ପାଇଁ ଚେଷ୍ଟା କରୁଛି ।