କାମାକ୍ଷନଗର (ଏଟିଆର ବ୍ୟୁରୋ); ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଯାଇଛି ମେଟ୍ରିକ ପରୀକ୍ଷା । ପରୀକ୍ଷା ଦେବା ପାଇଁ ସକାଳୁ ସକାଳୁ ଘରୁ ବାହାରି ଥିବା ଜଣେ ପରୀକ୍ଷାର୍ଥୀ ଏବଂ ତାଙ୍କ ପରିବାରର ଦୁଇ ଜଣ ଗୁରୁତର ଆହାତ ହୋଇଛନ୍ତି । ଗୁରୁତର ଛାତ୍ର ହେଲେ ବୁଲୁ ,ଭାଇ ଶାନ୍ତନୁ ଏବଂ ବାପା ମହେଶ୍ୱର । ସେମାନଙ୍କ ଘର ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ଅଞ୍ଚଳରେ । ଏଥିରେ ଶାନ୍ତନୁଙ୍କର ଗୋଡ ଛିଡି ଯାଇଥିବା ଜଣା ପଡିଛି ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ବୁଲୁ ଏବଂ ମହେଶ୍ୱରଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ହେବା ସହ ୫୩ ନମ୍ବର ଜାତୀୟ ରାଜପଥ ବନ୍ଦ ରହିଥିଲା । ପୋଲିସ ଆସି ବୁଝାଶୁଝା କରିବା ପରେ ଉତ୍ୟକ୍ତ ଲୋକ ରାସ୍ତାରୁ ହଟିଥିଲେ ।
ସୂଚନା ଯୋଗ୍ୟ, ଆଜି ସକାଳୁ ବୁଲୁଙ୍କୁ କଙ୍କଡାସୋଡା ସ୍କୁଲରେ ଛାଡିବା ପାଇଁ ବାପା ଏବଂ ଭାଇ ଯାଉଥିଲେ । ଭାଇ ଶାନ୍ତନୁ ଗାଡି ଚଲାଉଥିବା ବେଳେ ଭାଇ ଏବଂ ବୁଲୁ ଏବଂ ବାପା ପଛ ପଟେ ବସିଥିଲେ । ତେବେ ଏମାନେ ୫୩ ନମ୍ବର ଜାତୀୟ ରାଜପଥରେ ଯାଉଥିବା ବେଳେ ବସକୁ ଅତିକ୍ରମ କରୁଥିବା ବେଳେ ଏକ ସାମନାରୁ ଆସୁଥିବା ଟ୍ରକ ସହ ଧକ୍କା ହୋଇଥିଲା । ଧକ୍କାର ପ୍ରଭାବରେ ଶାନ୍ତନୁଙ୍କ ଡାହଣ ଗୋଡ଼ ଛିଡ଼ି ଯାଇଥିବା ବେଳେ ମହେଶ୍ୱର ଓ ବୁଲୁଙ୍କର ଡାହଣ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା।
ଦୁର୍ଘଟନା ଘଟାଇଥିବା ଟ୍ରକ୍ ସେଠାରୁ ଚାଲିଯାଇଛି। ଆହତମାନଙ୍କୁ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରି ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଉନ୍ନତ ଚିକିତ୍ସା ନିମନ୍ତେ ଶାନ୍ତନୁଙ୍କୁ ୧୦୮ ଆମ୍ବୁଲାନ୍ସ୍ ଯୋଗେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ମହେଶ୍ୱର ଓ ବୁଲୁଙ୍କୁ ମଧ୍ୟ ସେଠାରୁ କାମାକ୍ଷାନଗର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖା ଦେଇଥିଲା । ଏବଂ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଥିଲେ । ପରେ ପୋଲିସ ଆସି ଏମାନଙ୍କୁ ବୁଝା ଶୁଝା କରିବା ପରେ ରାସ୍ତାରୁ ହଟିଥିଲେ ଉତ୍ୟକ୍ତ ଲୋକ ।