ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଜୋରସୋର ଚାଲିଛି ‘ଚାଲ ଟିକେ ପ୍ରେମ କରିବା’ ଫିଲ୍ମର ସୁଟିଂ । ତେବେ ଏହି ଫିଲ୍ମରେ ପୁଣିଥରେ ନଜର ଆସିବେ ଦୁଇ ପ୍ରତିକ୍ଷିତ ଯୋଡି ଚିନ୍ମୟୀ ଏବଂ ଦେବରାଜ । ଉଭୟ ପୂର୍ବରୁ ‘ତୋ ପ୍ରେମରେ ପଡିଲା ପରେ’ ଫିଲ୍ମରେ ନଜର ଆସିଥିଲେ । ଫିଲ୍ମରେ ଦର୍ଶକମାନେ ଉଭୟଙ୍କ ଯୋଡିକୁ ବେଶ ପସନ୍ଦ କରିଥିଲେ । ତେବେ ଏମାନେ ପୁଣି ଏକ ଫିଲ୍ମ ମାଧ୍ୟମରେ ଏକାଠି କାମ କରିବା ପାଇଁ ଯାଉଛନ୍ତି । ଏହି ଫିଲ୍ମଟିକୁ ଚାହିଁ ବସିଛନ୍ତି ଦର୍ଶକ । ତେବେ କେବେ ଏହି ଫିଲ୍ମଟି ମୁକ୍ତିଲାଭ କରିବ ତାହା ପ୍ରଯୋଜନା ସଂସ୍ଥା ସୂଚନା ଦେଇନାହିଁ । କିନ୍ତୁ ଅଳ୍ପଦିନ ମଧ୍ୟରେ ରିଲିଜ ହୋଇଯିବ ବୋଲି ଶଉଣିବାକୁ ମିଳୁଛି ।
‘ଚାଲ ଟିକେ ପ୍ରେମ କରିବା’ ଫିଲ୍ମଟି ‘ଦେବକୀ ଫିଲ୍ମସ’ ବ୍ୟାନରରେ ନିର୍ମାଣ ହେଉଛି । ତେବେ ସବୁଠାରୁ ବଡ କଥା ହେଉଛି ଏହି ବ୍ୟାନରର ମୁଖ୍ୟ ହେଉଛନ୍ତି ନିଜେ ନାୟିକା ଚିନ୍ମୟୀ ପ୍ରିୟଦର୍ଶିନୀ । ସେ ପୂର୍ବରୁ ମଧ୍ୟ ଏକ ଫିଲ୍ମର ପ୍ରଜୋଜନା କରିଥିଲେ । ଏହା ହେଉଛି ତାଙ୍କ ବ୍ୟାନରର ଦ୍ୱିତୀୟ ଚଳଚ୍ଚିତ୍ର । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ସରୋଜକାନ୍ତ । ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି ବିଭୂତି ଗଡନାୟକ । ଫିଲ୍ମର ଗୀତ ଗୁଡିକ ମନ ଛୁଆଁ ହେବ ବୋଲି ଆଗୁଆ ସୂଚନା ଦେଇଛନ୍ତି ସଂଗୀତ ନିର୍ଦ୍ଦେଶକ ।
ଏହି ଫିଲ୍ମରେ ବହୁ ନାମିଦାମୀ କଳାକାରମାନେ ଅଛନ୍ତି । ବିରେନ ମିଶ୍ର,କାଳି ଚରଣ,ଲିପ୍ସ ମିଶ୍ର,ସରୋଜ ଦାସ,ଐଶଯ୍ୟା ବେହେରା ଏବଂ ଜୀବନ ପଣ୍ଡାଙ୍କ ଭଳି ଅଭିନେତା ଅଛନ୍ତି । ତେବେ ଫିଲ୍ମ ଚଳିତ ମାସ ଭାଲେଣ୍ଟାଇନ ସପ୍ତାହରେ ଶୁଭ ମହୁରତ ହୋଇଥିଲା । ଏହି ଫିଲ୍ମଟି ନିଶ୍ଚିନ୍ତ ଭାବରେ ଦର୍ଶକଙ୍କ ମନ ମୋହିବ ବୋଲି ପ୍ରଜୋଯନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ।