ଭୁୁବନେଶ୍ୱର,(ଏଟିଆରବ୍ୟୁରୋ): ସବୁ ଏକଜୁଟ ହୋଇ ଅଂଟା ଭିଡ଼ିଲେଣି । ଟାର୍ଗେଟରେ ରହିଛି ଥାନା । ଯେମିତି ବି ହେଉ ସେଠାରୁ ଆଇଆଇସିଙ୍କୁ ତଡାଯିବ । ଖାସ ଏଥିପାଇଁ ସମସ୍ତେ ଏବେ ଥାନା ଘେରାଉ କରିବାକୁ ସଜବାଜ ହୋଇଛନ୍ତି । ଆଜି ସାଢ଼େ ୩ଟାରେ ଥାନା ଘେରାଉ ହେବ ବୋଲି ଜଣାପଡିଛି । ଆମେ କହୁଛୁ ଚନ୍ଦ୍ରଶେଖରପୁର ଥାନା ସମ୍ପର୍କରେ ।
ଧନେଶ୍ୱରଙ୍କ ମୃତ୍ୟୁକୁ ନେଇ ଏବେ ବିବାଦରେ ଛନ୍ଦି ହୋଇଛନ୍ତି ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ଦୀପକ ମିଶ୍ର । ଅଭିଯୋଗ ଅନୁସାରେ, ପରିବାର ଲୋକେ ହତ୍ୟା ଅଭିଯୋଗ ଆଣୁଥିବା ବେଳେ ଥାନା ଅଧିକାରୀ ଏହାକୁ ଦୁର୍ଘଟଣା କହି ସେମାନଙ୍କ କଥାକୁ ଏଡାଇ ଯାଉଛନ୍ତି । ଯାହାକି ଲୋକଙ୍କ ମଧ୍ୟରେ ଅସନ୍ତୋଷର କାରଣ ହୋଇଛି । କେବଳ ଏତିକି ନୁହେଁ ଥାନାକୁ ଆସୁଥିବା କୌଣସି ବ୍ୟକ୍ତିଙ୍କୁ ଉଚିତ୍ ବ୍ୟବହାର କରୁନଥିବା ଭଳି ସଂଗିନ ଅଭିଯୋଗ ଉଠିଛି ଥାନା ଅଧିକାରୀଙ୍କ ବିରୋଧରେ ।
ସେପଟେ ୨ଦିନ ତଳେ ଚନ୍ଦ୍ରଶେଖରପୁର ଅଂଚଳରେ ଘଟିଥିଲା ଲଙ୍କାକାଣ୍ଡ । ମୁହାଁମୁହିଁ ହୋଇଥିଲେ ପୁଲିସ ଓ ସାଧାରଣ ଜନତା । ଥାନା ଅଧିକାରୀଙ୍କ ମନମୁଖି କାର୍ଯ୍ୟକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଥିଲେ ଲୋକେ । ପରିସ୍ଥିତି ଏପରି ହୋଇଥିଲା ଘଟଣାସ୍ଥଳରେ ପହଁଚିବାକୁ ବାଧ୍ୟ ହୋଇଥିଲେ ଅନେକ ପୁଲିସ ଅଧିକାରୀ ଏବଂ ଡିସିପି । ଶେଷରେ ଲାଠି ଚାର୍ଜ ପରେ ପରିସ୍ଥିତି ଆୟତକୁ ଆସିଥିଲା । ହେଲେ ତଥାପି ଲୋକଙ୍କ ରାଗ ଯାଇନି ଥାନା ଅଧିକାରୀଙ୍କ ଉପରୁ ।
ତାଙ୍କୁ ତୁରନ୍ତ ବଦଳି କରିବାକୁ ଦାବି ହୋଇଛି । ଏଥିପାଇଁ ପୁଣି ଥାନା ଘେରାଉ କରିବାକୁ ଯୋଜନା ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ।