ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବୁଧବାର ମୁଖ୍ୟମନ୍ତ୍ରୀଙ୍କର ଦୁଇଟି ଗସ୍ତ ରହିଛି । ପ୍ରଥମେ ରାୟଗଡା ଏବଂ ପରେ ଖୋର୍ଦ୍ଧା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ବିଭିନ୍ନ ସରକାରୀ ପ୍ରକଳ୍ପର ଶିଳାନ୍ୟାସ ଏବଂ ଶୁଭଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ରାୟଗଡାରେ ପୂର୍ବାହଣ ୧୧ଟାରେ ସ୍ଥାନୀୟ ଖଲିଗୁଡ଼ା ସ୍ଥିତ ଜିଷ୍ଟ ପଡ଼ିଆରେ ମିଶନ ଶକ୍ତି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେବେ । ମିଶନ ଶକ୍ତି ସମାବେଶରେ ୫୦ ହଜାରରୁ ଅଧିକ ମହିଳାଙ୍କ ସମାଗମ ହେବ ।
ରାୟଗଡ଼ା ଜିଲ୍ଲା ପାଇଁ ୭୩୭ କୋଟି ୪୨ଲକ୍ଷ ଟଙ୍କାର ୮୯ଟି ପ୍ରକଳ୍ପର ଶୁଭ ଉଦଘାଟନ କରିବେ ନବୀନ। ଏହାସହ ୫୩୨ କୋଟି ୫୮ ଲକ୍ଷ ଟଙ୍କାର ୪୮ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସଭାସ୍ଥଳ ପରିସରରେ ୨୨ ପ୍ଲାଟୁନ ପୋଲିସ ଫୋର୍ସ ଓ ସିଆରପିଏଫ ଯବାନ ମୁତୟନ ହୋଇଛନ୍ତି । ରାୟଗଡ଼ା ନକ୍ସଲ ପ୍ରବଣ ଅଞ୍ଚଳ ହୋଇଥିବାରୁ ପୋଲିସ ପକ୍ଷରୁ କମ୍ବିଂ ଅପରେସନକୁ ମଧ୍ୟ ଜୋରଦାର କରାଯାଇଛି ।
ଅପରାହ୍ଣରେ ଖୋର୍ଦ୍ଧା ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ। ଖୋର୍ଦ୍ଧା ଗୋଶାଳା ପଡ଼ିଆରେ ହେବାକୁ ଥିବା ବିଜୁ ଯୁବ ବାହିନୀର ଆଞ୍ଚଳିକ ସମାବେଶରେ ଯୋଗଦାନ ସହ ଉଦବୋଧନ ଦେବେ। ଏହି ଅବସରରେ ୨୦୫ କୋଟି ଟଙ୍କାର ୮୪ ପ୍ରକଳ୍ପର ଉଦଘାଟନ କରିବା ସହ ୪୬୬ କୋଟି ୧୮ ଲକ୍ଷ ଟଙ୍କା ବ୍ୟୟରେ ୬୧ଟି ପ୍ରକଳ୍ପର ଶିଳାନ୍ୟାସ କରିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବେଶ ଖୁସି ଅଛନ୍ତି ଦଳୀୟ କର୍ମୀ ଏବଂ ନେତା । ନିର୍ବାଚନ ପାଖେଇ ଆସୁଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଦଳ ପାଇଁ ଆଗାମି ଦିନରେ ସଫଳତା ଆଣିଦେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ସେପଟେ ବିରୋଧୀମାନେ ଅଭିଯୋଗ କରୁଛନ୍ତି କି ସରକାର ବିଜୁ ଯୁବ ବାହିନୀ ନାଁରେ ଗୁଣ୍ଡା ପାଳି ଅଯଥାରେ ଟଙ୍କା ଖର୍ଚ୍ଚ କରୁଛନ୍ତିି । ଏବଂ ଶିଳାନ୍ୟାସ ନାଁରେ ପ୍ରଚାର କରୁଛନ୍ତି ମୁଖ୍ୟମନ୍ତ୍ରୀ ।