ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆଉ ଦିନ କେଇଟା ରହିଲା ନିର୍ବାଚନ । ଦିଲ୍ଲୀରୁ ପଲ୍ଲୀ ସବୁଠି ବହିଲାଣି ନିର୍ବାଚନୀ ହାୱା । ଦଳିୟ ଟିକେଟ ପାଇବା ପାଇଁ ଆଶାୟୀ ପ୍ରାର୍ଥୀମାନେ ହାଇକମାଣ୍ଡଙ୍କ ଦୁଆରେ ପକାଇଲେଣି ଡେରା । ଟିକେଟ ଆଶାରେ ଗଣ୍ଡା ଗଣ୍ଡା ପ୍ରାର୍ଥୀ । ଏଣୁ ନିର୍ବାଚକ୍ୱିଗୁଲ ବାଜିବା ପୂର୍ବରୁ ଲୋକ ସମ୍ପର୍କ ବଜାୟ ରଖିବା ପାଇଁ ନେତାମାନେ ଆରମ୍ଭ କରି ଦେଲେଣି ରାଜନୀତି । କେତେକ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ରାଜନୀତି ମାୟାରେ ବାୟା ହୋଇ ଚାକିରୀ ଛାଡି ଦଳରେ ଯୋଗ ଦେବା ପାଇଁ ବାହାରି ଆସିଛନ୍ତି । ତେବେ ସେ ଯାହାବି ହେଉ ଏଭଳି ଭାବରେ ଏବେ ଚାଲିଛି ରାଜ୍ୟ ରାଜନୀତି । ଯେଉଁଥିରୁ ବାଦ ପଡିନାହିଁ କନ୍ଧମାଳ ସଂସଦୀୟ କ୍ଷେତ୍ର । ୭ଟି ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ ହୋଇଥିବା ଏହି ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ ହେବା ପାଇଁ ସବୁ ଦଳରେ ଗଣ୍ଡା ଗଣ୍ଡା ପ୍ରାର୍ଥୀ ଆଶା ବାନ୍ଧି ବସିଛନ୍ତି ।
ବର୍ତ୍ତମାନ ଶାସକ ଦଳ ଭାବରେ ବିଜେଡି ରହିଥିବାରୁ ସବୁ ପ୍ରାର୍ଥୀମାନେ ବିଜେଡି ଟିକେଟ ହାତେଇବା ଲକ୍ଷରେ ରହିବେ । ଏଣୁ ଟିକେଟ ହାତେଇବା ପାଇଁ ଦଳର ହେବିୱେଟ ନେତାଙ୍କ ସହିତ ସନ୍ଧି ମଧ୍ୟ କରିବାରେ ଲାଗିଲେଣି । ତେବେ ଏଠାରେ ବିଜେଡି ଟିକେଟ ରେସରେ ମୁଖ୍ୟତଃ ତିନି ଜଣ ରହିଥିବା ବେଳେ ଆଉ କିଛି ଆଶାୟୀ ପ୍ରାର୍ଥୀ ସରକାରୀ ଚାକିରୀ ଛାଡି ଟିକେଟ ପାଇବା ପାଇଁ ଅଡି ବସିଛନ୍ତି ।
ତେବେ ଆସନ୍ତୁ ନଜର ପକାଇବା ଆଶାୟୀ ପ୍ରାର୍ଥୀଙ୍କ ଉପରେ.. ଏବେ ଏଠାରେ ସାଂସଦ ଭାବରେ ଅଛନ୍ତି ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ । ବର୍ତ୍ତମାନ ସେ ସାଂସଦ ଥିବାରୁ ଆଗାମୀ ନିର୍ବାଚନରେ ମଧ୍ୟ ଟିକେଟ ରେସରେ ରହିବେ । ଗତ ୫ବର୍ଷ ମଧ୍ୟରେ ତାଙ୍କର ଲୋକ ପ୍ରିୟତା ମଧ୍ୟ ରହିଛି । ଏଣୁ ସେ ପୁଣିଥରେ ବିଜେଡି ଟିକେଟ ପାଇଁ ଅଡି ବସିବେ । ସେପଟେ ଏହି ଆସନରୁ ଟିକେଟ ଆଶାରେ ରହିଛନ୍ତି ଜିଲ୍ଲା ସଭାପତି ସରୋଜ କର୍ଣ୍ଣ । ସେ ମଧ୍ୟ ନିଜର ଲୋକ ପ୍ରିୟତାକୁ ବଜାୟ ରଖିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ପନ୍ମନାଭ ବେହେରା ଯିଏକି କନ୍ଧମାଳ ସଂସଦୀୟ କ୍ଷେତ୍ରରେ ସବୁଠାରୁ ଚିହ୍ନାମୁହଁ ଭାବରେ ବେଶ ପରିଚିତ । ୨୦୦୦ ମସିହାରେ ବିଜେପି ଏବଂ ବିଜେଡି ମେଣ୍ଟ ଥିବା ବେଳେ ସେ ଏଠାରେ ବିଜେଡି ପକ୍ଷରୁ ସାଂସଦ ହୋଇଥିଲା । ଏବେ ସେ ବିରମହାଜନପୁରର ବିଧାୟକ ଅଛନ୍ତି କିନ୍ତୁ ଆସନ୍ତା ନିର୍ବାଚନରେ ସେ ପୁଣିଥରେ ସାଂସଦ ଟିକେଟ ପାଇଁ ଆଶା କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ଏମାନଙ୍କୁ ବାଦ ଦେଲେ ଆଉ କିଛି ବାବୁ ସରକାୀ ଚାକିରୀ ଛାଡି ଆସିବା ପରେ ବିଜେଡି ଟିକେଟ ପାଇଁ ମଧ୍ୟ ଆଶା ବାନ୍ଧି ବସିଥିବା ଶୁଣିବାକୁ ମିଳୁଛି । ସେ ଯାହାବି ହେଉ ଦଳର ହାଇକମାଣ୍ଡଙ୍କ ନିଷ୍ପତି ନେବେ । କିନ୍ତୁ ଏହି ଟିକେଟ ପାଇଁ ଦଳୀୟ କନ୍ଦଳ ଦେଖା ଦେବ ବୋଲି ଚର୍ଚ୍ଚା ହେଉଛି ।