କେନ୍ଦୁଝର (ଏଟିଆର ବ୍ୟୁରୋ); ଯେତିକି ପାଖଉଛି ନିର୍ବାଚନ ସେତିକି ସରଗରମ ହେଉଛି ରାଜନୀତି ମଇଦାନ । ସବୁଠି ବହୁଛି ଏହି ନିର୍ବାଚନୀ ହାୱା । ତେବେ ଏଥିରେ ଆଗରେ ରହିଛି ଚମ୍ପୁଆ ନିର୍ବାଚନ ମଣ୍ଡଳୀ । ରାଜ୍ୟର ଧନୀ ନିର୍ବାଚନୀ ମଣ୍ଡଳୀ କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଣ ଏଠାରେ ନିର୍ବାଚନ ସମୟରେ ଟଙ୍କା ଟ୍ରକରେ ବୁହା ହେଉଥିବା ମଧ୍ୟ ପୂର୍ବରୁ ନଜିର ରହିଛି । ଏଣୁ ଏହି ନିର୍ବାଚନ ମଣ୍ଡଳୀ ଉପରେ ରହିଛି ସମସ୍ତଙ୍କ ନଜର । ଦୀର୍ଘ ଦୁଇଟି ନିର୍ବାଚନରେ ଏଠାରେ ସ୍ୱାଧୀନ ପ୍ରାର୍ଥୀମାନେ ବାଜି ମାରିଆସୁଛନ୍ତିି । ଏଣୁ ଚଳିତ ନିର୍ବାଚନରେ କଣ ପୁଣିଥରେ କେହି ସ୍ୱାଧୀନ ପ୍ରାର୍ଥୀ ବାଜି ମାରିବ ନାଁ ଅନ୍ୟ ରାଜନୈତିକ ଦଳମାନେ ନୂଆ ରଣନୀତି ପ୍ରସ୍ତୁତ କରି ରେକର୍ଡକୁ ବ୍ରେକ କରିବେ ।
ତେବେ ଆସନ୍ତୁ ନଜର ପକାଇବା ନିର୍ବାଚନ ମଣ୍ଡଳୀର ରଣନୀତି ଉପରେ ଏହି ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନର ବିଧାୟକ ସନାତନ ମହାଖୁଡଙ୍କ ଦବଦବା ଜାରି ରହିଛି । ଏଣୁ ତାଙ୍କୁ ନିର୍ବାଚନରେ ପରାଜୟ କରିବା ପାଇଁ ଅନ୍ୟ ଦଳରେ ହେବିୱେଟ ନେତାଙ୍କୁ ଟିକେଟ ଦେଇ ଲଢ଼େଇ ପାରନ୍ତି ବୋଲି ଶୁଣିବାକୁ ମିଳୁଛି । ୨୦୧୪ ନିର୍ବାଚନରେ ଏଠାରେ ସନାତନ ୬୯,୬୩୫ ଖଣ୍ଡ ଭୋଟ ପାଇଥିବା ବେଳେ ଅନ୍ୟତମ ସ୍ୱାଧୀନ ପ୍ରାର୍ଥୀ କୁଶ ଆପୋର୍ଟ ୫୪,୯୫୭ ଖଣ୍ଡ ଭୋଟ ପାଇଥିଲେ । ଏହି ଦୁଇଜଣ ସ୍ୱାଧୀନ ପ୍ରାର୍ଥୀଙ୍କୁ ଛାଡିଦେଲେ ଦଳ ପକ୍ଷରୁ ନିର୍ବାଚନ ଲଢ଼ିଥିବା ପ୍ରାର୍ଥୀମାନେ ଅମାନତ ହାରିଥିଲେ । ସନାତନ ମହାଖୁଡ ୨୦୦୯ ନିର୍ବାଚନରେ ମାତ୍ର ୧୫୭ ଖଣ୍ଡ ଭୋଟ ପାଇଁ ପରାଜୟ ସ୍ୱୀକାର କରିଥିଲେ । ଜିତୁ ପଟ୍ଟନାୟକ ଏଠାରେ ସ୍ୱାଧୀନ ଭାବରେ ଜିତିଥିଲେ । ଏଣୁ ଦୁଇଟି ନିର୍ବାଚନରେ ଭଲ ଲୋକ ପ୍ରିୟତା ରହିଛି ସନାତନଙ୍କର ।
ତେବେ ଏଠାରେ ଚଳିତ ନିର୍ବାଚନରେ ବିଜେଡି ପକ୍ଷରୁ ୩ଜଣ ଆଶାୟୀ ପ୍ରାର୍ଥୀ ଟିକେଟ ଆଶାରେ ରହିଛନ୍ତି । ଏମାନେ ହେଲେ ଜିଲ୍ଲା ସଭାପତି ରୀନା ବାରିକ,ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକ ଏବଂ ବିଜୟ ମହାଖୁଡ । ଅପରପକ୍ଷରେ ବିଜେପି ପକ୍ଷରୁ ଏବେ ଏହି ନିର୍ବାଚନମଣ୍ତଳୀ ପାଇଁ ମୁରଲୀ ଶର୍ମା, ଶ୍ରୀମନ୍ତ ତ୍ରିପାଠୀ, ଅଗୁନ ଚରଣ ମହାନ୍ତ ପ୍ରମୁଖ ଆଶାୟୀ ଅଛନ୍ତି। କ˚ଗ୍ରେସ ପକ୍ଷରୁ ଅଶୋକ ଠାକ୍କର, ବିପ୍ଳବ ମିଶ୍ର, ନିହାର ରଞ୍ଜନ ରାଉତ, ଆଲୋକ ମିଶ୍ର, ପାର୍ଥ ସାରଥି ପହି ପ୍ରମୁଖ ଆଶାୟୀ ଅଛନ୍ତି। ତେବେ ଏହି ଦଳୀୟ ନେତାଙ୍କୁ ଛାଡିଦେଳେ ସନାତନ ଏବଂ କୁଶ ଆପର୍ଟ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ିବେ ବୋଲି ସୂଚନା ମିଳୁଛି । ତେବେ ଚମ୍ପୂଆ ବାସୀ କାହା ମୁଣ୍ଡରେ ସୁନା ମୁକୁଟ ପିନ୍ଧାଇବେ ତାହା ସମୟ କହିବ । ଏବଂ ସମସ୍ତଙ୍କ ନଜର ରହିଛି କେଉଁମାନେ ଏଠାରେ ଟିକେଟ ପାଉଛନ୍ତି ।