ଭୁବନେଶ୍ୱର,(ଏଟିଆର ବ୍ୟୁରୋ): କମିଶନରେଟ ପୁଲିସକୁ ପୁଣି ଖୋଲା ଚ୍ୟାଲେଞ୍ଜ କରିଛନ୍ତି ଦୁର୍ବୃତ୍ତ । ଉଦୁଉଦିଆ ଖରାବେଳେ ଭୁଜାଲିରେ ହାଣି ସୁନାଚେନ ଲୁଟି ନେଇଛନ୍ତି । ଏଭଳି ଏକ ଛାତିଥରା ଘଟଣା ଘଟିଛି ରାଜଧାନୀର ହାଇସିକ୍ୟୁରିଟି ଜୋନ କୁହାଯାଉଥିବା ସହିଦନଗର ଥାନା ଅଞ୍ଚଳରେ । ଏଯାବତ୍ ଘଟଣାକୁ ୨୪ଘଣ୍ଟା ବିତିବାକୁ ବସିଥିବା ବେଳେ ପୁଲିସ ଅଭିଯୁକ୍ତଙ୍କ ଟେର ପାଇନାହିଁ । ଲୁଟେରାଙ୍କ ଆକ୍ରମଣର ଶିକାର ହୋଇ ଲହୁଲୁହାଣ ହୋଇଥିବା ବ୍ୟକ୍ତି ହେଉଛନ୍ତି ବମିଖାଲ ଅଞ୍ଚଳର ପ୍ରମିତ ସାହୁ(୩୨) ।
ବ୍ୟବସାୟ କରୁଥିବା ପ୍ରମିତ ଗତକାଲି ଦିନ ସାଢ଼େ ୧୧ଟା ବେଳେ ହାପି ହାୱାର ସ୍କୁଲ ନିକଟରେ ଥିବା ଷ୍ଟେଟ ବ୍ୟାଙ୍କକୁ ଯାଇଥିଲେ । ସେଠାରୁ କାମ ସାରି ବାହାରୁଥିବା ବେଳେ ଏଭଳି ଅଘଟଣ ଘଟିଛି । ପ୍ରମିତଙ୍କ କହିବାନୁସାରେ, ଏକ ଫୋନ କଲ ଆସିବାରୁ ସେ ବାଟରେ ଅଟକି ଯାଇଥିଲେ । ଠିକ୍ ସେହି ସମୟରେ ଅଚାନକ ୨ଜଣ ଦୁର୍ବୃତ୍ତ ସେଠାରେ ପହଁଚି ତାଙ୍କ ସୁନାଚେନ ଝାମ୍ପିବାକୁ ଉଦ୍ୟମ କରିଥିଲେ । ଯାହାକୁ ପ୍ରତିବାଦ କରିଥିଲେ ସେ । ହେଲେ କିଛି ବୁଝିବା ପୂର୍ବରୁ ହଠାତ୨ ଦୁର୍ବୃତ୍ତମାନେ ଏକ ଭୁଜାଲିରେ ତାଙ୍କ ବେକ ପଛପଟକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
କେବଳ ଏତିକି ନୁହେଁ ଦୁର୍ବୃତ୍ତଙ୍କ ପାଖରେ ଏକ ବନ୍ଧୁକ ଥିବା ଯୋଗୁ ସେ ଭୟଭିତ ହୋଇ ଚୁପ ରହିଥିଲେ ବୋଲି ପ୍ରମିତ ପୁଲିସକୁ ଜଣାଇଛନ୍ତି । ସବୁଠୁ ବଡ଼କଥା ହେଉଛି ଭରା ପବ୍ଲିକରେ ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଭିଆଇଥିଲେ ବି ସ୍ଥାନୀୟ ଲୋକେ କେହି ଜଣେ ହେଲେ ବି ସାମ୍ନାକୁ ଆସିଥିଲେ । ରକ୍ତାକ୍ତ ଅବସ୍ଥାରେ ଏକାକି ଲୁଟେରାଙ୍କ ସହ ଲଢ଼ିଥିଲେ ପ୍ରମିତ । ଶେଷରେ ଲୁଟେରାମାନେ ନିଜ ମିଶନରେ ସଫଳ ହୋଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଏନେଇ ପ୍ରମିତ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏବେ ଘଟଣାର ଖୋଳତାଡ ଆରମ୍ଭ କରିଛି । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । ଅଭିଯୋଗ ହୋଇଛି ପାଟ୍ରୋଲିଂ ଠିକଠାକ ନହେବା ଯୋଗୁ ଲୁଟେରାଙ୍କ ଉତ୍ପାତ ବଢ଼ିବାରେ ଲାଗିଛି । ସହିଦନଗର ଭଳି ହାଇସିକ୍ୟୁରିଟି ଜୋନରେ ପୁଣି ଦିନବେଳେ ଯଦି ଏଭଳି ଘଟଣା ଘଟୁଛି ତେବେ ବାକି ଅଞ୍ଚଳ କଥା ନକହିବା ଭଲ ।
ସେପଟେ ଲୁଟ ଲାଗି ରାଜଧାନୀରେ ଦୁର୍ବୃତ୍ତମାନେ କିଭଳି ରକ୍ତମୂଖା ହୋଇପାରନ୍ତି ତାହା ପ୍ରମିତଙ୍କ ବେକ ତଳକୁ ଦେଖିଲେ ଭଲଭାବେ ଜଣାପଡେ । ଏତିକି କହିବୁ ମରୁ ମରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ପ୍ରମିତ । ଆଶା କରିବୁ ରାଜଧାନୀରେ ବଢ଼ୁଥିବା ଲୁଟେରାଙ୍କ ଉତ୍ପାତ ଉପରେ ନଜର ରଖି ଆକ୍ସନ ମୁଡକୁ ଆସିବ କମିଶନରେଟ ପୁଲିସ । ନଚେତ୍ ଏମାନଙ୍କ ପାଇଁ କାହାର କେତେବେଳେ ଜୀବନ ଯିବ ତାହା କିଏ କହିବ ।