ପୁରୀ (ଏଟିଆର ବ୍ୟୁରୋ); ବାହା ହେବା ପାଇଁ କନକନ ହୋଇ ବାହାରିଥିଲେ ବର । ବରଯାତ୍ରୀ ମାଲ ମାରି ଆଗରେ ନାଚୁଥିଲେ । ପୁଅ ବାହାଘର ପାଇଁ ସମ୍ପର୍କୀୟଙ୍କ କୁଞ୍ଚ ତଳେ ଲାଗୁନଥିଲା । କିନ୍ତୁ ବରଗାଡି କନିଆ ଘରେ ପହଁଞ୍ଚିବା ଆଗରୁ ଅଧାବାଟରୁ ଉଠାଇ ନେଇଥିଲା ପୋଲିସ । ଯାହାକୁ ନେଇ ଚିନ୍ତାରେ ବର ଏବଂ କନିଆ ଘର ଲୋକ । ବର ଥାନାକୁ ଯିବା ପରେ ବାହାଘର ଭାଙ୍ଗିଯାଇଥିଲା । ଶେଷରେ ବାହା ନହୋଇ ଶିଶୁପାଳ ହୋଇ ଘରକୁ ଫେରିଥିଲା ବର । ତେବେ ଏଭଳି ଏକ ଅଭାନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳରେ । ଯାହାକି ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି ।
ମିଳିଥିବା ସୂଚନା ମୁତାବକ ବାହାହେବା ପାଇଁ ଯାଉଥିବା ଯୁବକ ଜଣେ ରସିକିଆ ପ୍ରେମିକ ବୋଲି ଶୁଣିବାକୁ ମିଳୁଛି । ଏହି ରସିକିଆ ପ୍ରେମିକଙ୍କ ନାମରେ ଥାନାରେ ପୂର୍ବରୁ ମଧ୍ୟ ଏତଲା ରହିଛି । ବାହା ହେବା ପାଇଁ ଯାଉଥିବା କନିଆ ସହିତ ଚୋରା ପ୍ରେମ କରୁଥିବା ବେଳେ ଧରାପଡିଥିଲେ ପ୍ରେମିକ । ଏଣୁ ଦୁଇ ପରିବାର ବୁଝାଶୁଝା କରି ବାହାଘର କରିବା ପାଇଁ ନିଷ୍ପତି ନେଇଥିଲେ । କିନ୍ତୁ ଏତିକିରେ ସରନଥିଲା ପ୍ରେମିକ ପ୍ରବରଙ୍କ ଖେଳ । ଏହି ଖେଳାଳିଙ୍କ ସହିତ ସମ୍ପର୍କ ଗଢ଼ିବା ପୂର୍ବରୁ ଗାଁର ଅନ୍ୟଜଣେ ଯୁବତୀଙ୍କ ସହିତ ମଧ୍ୟ ଚଲାଇଥିଲେ ଖେଳ ।
ଗାଁରେ ପ୍ରେମ କରୁଥିବା ପ୍ରେମିକାଙ୍କ ପରିବାର ଲୋକ ମଧ୍ୟ ଏହି କଥା ଜାଣିଥିଲେ । ଏଣୁ ସେମାନେ ଭାବିଥିଲେ କି ଝିଅକୁ ସେହି ପୁଅ ସହିତ ବିବାହ କରିବା ପାଇଁ । କିନ୍ତୁ ପାଖ ଗାଁର ଅନ୍ୟ ଜଣେ ଯୁବତୀଙ୍କ ସହିତ ବିବାହ କରିବା ପାଇଁ ଯାଉଥିବା ବେଳେ ଗାଁ ପ୍ରେମିକାର ପରିବାର ଲୋକ ଥାନାରେ ଏତଲା ଦେଇଥିଲେ । ଏଣୁ ବର ରୋଷଣୀ କରି ଯାଉଥିବା ବେଳେ ଅଧାବାଟରୁ ଉଠାଇ ନେଇଥିଲା ପୋଲିସ । ଶେଷରେ ଦୁଇ କୂଳରେ ଗୋଡ ରଖିଥିବା ପ୍ରେମିକ ପ୍ରବର ହତାସିଆ ଭାବରେ ଶିଶୁପାଳ ହୋଇ ଘରକୁ ଯାଇଥିଲେ ।