ଭୁବନେଶ୍ୱର (ଏଟିଆର ବ୍ୟୁରୋ); ମଙ୍ଗଳବାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୩ତମ ଜୟନ୍ତୀ । ରାଜ୍ୟବ୍ୟାପୀ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ସଭାର କାର୍ଯ୍ୟକ୍ରମ ରହିଛି। ବିଜେଡି କାର୍ଯ୍ୟଳୟ ସହ ବିଜୁ ପଟ୍ଟନାୟକ ପାର୍କରେ ପୁଷ୍ପ ମାଲ୍ୟାର୍ପଣ ସହ ଶ୍ରଦ୍ଧାସୁମନ ଅର୍ପଣ କରାଯିବ। ବିଜୁ ବାବୁଙ୍କ ଏଜେଣ୍ଡା ଥିଲା ବିକାଶ ଓ ସଶକ୍ତି କରଣ। ତାଙ୍କ ଜନ୍ମଦିନକୁ ପଞ୍ଚାୟତିରାଜ ଦିବସ ଭାବେ ପଳନ କରାଯାଉଛି। ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ ଓ ମଜଭୁତ କରିବାକୁ ଗତବର୍ଷ ଠାରୁ ରାଜ୍ୟ ସରକାର ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।
ପଞ୍ଚାୟତରାଜ ଦିବସ ଭାବେ ଘୋଷିତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଆଜି ସକାଳ ୭ଟାରେ ଏକ ମିନି ମାରାଥନ୍ ଆୟୋଜନ କରାଯାଇଥିଲା। ସ୍ଥାନୀୟ ବିଜୁ ପଟ୍ଟନାୟକ ପାର୍କ (ଫରେଷ୍ଟ୍ ପାର୍କ) ଠାରୁ ଆରମ୍ଭ ହୋଇ ଏହି ଗଣଦୌଡ଼ କଳିଙ୍ଗ ଷ୍ଟାଡିୟମରେ ଶେଷ ହୋଇଥିଲା।ଆଜି ସନ୍ଧ୍ୟା ୬ଟା ବେଳେ ରାଜଧାନୀସ୍ଥିତ ଜୟଦେବ ଭବନରେ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଠାରେ ସେ ବିଜୁବାବୁଙ୍କ ଉପରେ ଏକ ଫଟୋଚିତ୍ର ପ୍ରଦର୍ଶନୀର ଉଦଘାଟନ କରିବେ।
ନିଜ ଜୀବନ କାଳ ମଧ୍ୟରେ ଅନେକ ଦୁଃସାହସିକ କାମ କରି ବିଜୁ ବାବୁ ସମଗ୍ର ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଜବାହାରଲାଲ ନେହେରୁଙ୍କ ଅନୁରୋଧ କ୍ରମେ ଇଣ୍ଡୋନେସିଆରୁ ସୁଲତାନ ସାରିଆରଙ୍କୁ ଉଦ୍ଧାର କରିବା ସହ ବିମାନରେ ଭାରତ ଇଡାଇଆଣିବା ଘଟଣାରେ ଯେଉଁ ସାହସିକତା ବିଜୁବାବୁ ଦେଖାଇଥିଲେ ତାର ପଟାନ୍ତର ନାହିଁ । ତେଣୁ ପରବର୍ତ୍ତୀ ସମୟରେ ଇଣ୍ଡୋନେସିଆର ଭୂମିପୁତ୍ର ଭାବେ ସମ୍ମାନିତ ହୋଇଥିଲେ ସେ । ଓଡିଶାରେ ଶିଳ୍ପର ବିକାଶ କଥା ଆସିଲେ ଆଜି ବି ମନେ ପଡନ୍ତି ବିଜୁ ବାବୁ । ଓଡିଶା ଇତିହାସରେ ଚିରକାଳ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଥିବ ତାଙ୍କ ନାଁ ।