ଭୁବନେଶ୍ୱର (ଏଟିଆର ବ୍ୟୁରୋ); କଥାରେ ଅଛି କଳା ମୁଣ୍ଡିଆକୁ କେବେ ବି ବିଶ୍ୱାସ କରିବ ନାହିଁ । ବଳ ଥିଲା ବେଳେ ସମସ୍ତେ ନିଜର ଆଉ ବଳ ସରିସଗଲେ କିଏ କାହାର? ସମ୍ପର୍କ ଦେଖିଲେନି ପରିବାର ଲୋକ । ମରିବା ପରେ ମଧ୍ୟ ଶେଷଥର ପାଇଁ ଦେଖିବାକୁ ଆସିଲେନି । ବରଂ ଫୋନରେ କହିଦେଲେ କି ପାଖରେ କୋଉଠି ମଶାଣୀ ଦେଖି ପୋଡି ଦିଅ । ମଲାପରେ ମଧ୍ୟ ପରିବାର ଲୋକଙ୍କ ଏଭଳି କଥା ଶୁଣିବା ପରେ ଲୋକ ଆଶ୍ଚଯ୍ୟ ହୋଇ ଯାଇଥିଲେ । ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ । କୋଲକାତାରୁ ଆସି ଭୁବନେଶ୍ୱର ଗଙ୍ଗନଗରସ୍ଥିତ ବାସହୀନ ଆଶ୍ରୟସ୍ଥଳିରେ ଆଖିବୁଜି ଥିବା ବିରେନ ଚକ୍ରବର୍ତ୍ତୀଙ୍କ ଅନ୍ତିମ ସସ୍କାର କରାଯାଇଥିଲେ ସୁଦ୍ଧା ନିଜ ସ୍ତ୍ରୀ ଏବଂ ପିଲାମାନେ ଆସିନଥିଲେ ।
ମିଳିଥିବା ସୂଚନା ଅନୁଯାୟୀ , ବିରେନ ଚକ୍ରବର୍ତ୍ତୀ (୭୬)ଙ୍କ ଘର କୋଲକାତାରେ । ତାଙ୍କ ଜୀବନରେ ଯେଉଁ ଭଳି ଦୁଃଖ ଆସିଛି ତାହା ଯେମିତି କାହା ଜୀବନରେ ନଆସୁ । ବିରେନ ପ୍ରଥମ ଥର ପାଇଁ ଯାହାକୁ ଜୀବନସାଥୀ ବାଛିଲେ ସେ କିଛିଦିନ ତାଙ୍କ ପାଖରେ ରହିବା ପରେ ତାଙ୍କୁ ଛାଡି ପଳାଇଲା । ପରେ ଆଉ ଜଣକୁ ବିବାହ କରିଥିଲେ ବିରେନ । ଦ୍ୱିତୀୟ ସ୍ତ୍ରୀର ଗୋଟିଏ ଝିଅ ହୋଇଥିଲା । ଝିଅ ଏବଂ ସ୍ତ୍ରୀ ସହିତ ଖୁସିରେ ଦିନ ବିତୁଥିଲା । କିନ୍ତୁ କିଛିଦିନ ପରେ ଏହି ଖୁସି ଉପରେ କାହାର ନଜର ଲାଗିଯାଇଥିଲା । ବୟସ ବଢ଼ିଯିବାରୁ ତାଙ୍କ ଝିଅ ଏବଂ ସ୍ତ୍ରୀ ତାଙ୍କୁ ଘରୁ ତଡି ଦେଇଥିଲେ । ପରେ ବିରେନ ଟ୍ରେନରେ କୋଲାକାତାରୁ ଭୁବନେଶ୍ୱର ଆସିବା ପାଇଁ ସ୍ଥିର କରିଥିଲେ । ଟ୍ରେନରେ ଆସୁଥିବା ବେଳେ କେହଭରା କଣ୍ଠରେ ବିରେନ ମାଉଥ ଅରଗାନ ବଜାଇଥିଲେ । ଏହାକୁ ଶୁଣିବା ପରେ ଟ୍ରେନରେ ବସିଥିବା ଯାତ୍ରୀମାନେ ତାଙ୍କୁ ଟଙ୍କା ଦେଇଥିଲେ ।
ତେବେ ଏହି ମାଉଥ ଅରଗାନ ହିଁ ଶେଷ ସମୟ ପର୍ଯ୍ୟନ୍ତ ତାଙ୍କ ପେଟ ପୋଷିବ ଭାବି ସେ ଏହାକୁ ଆପଣେଇ ନେଇଥିଲେ । ଏବଂ ଏଭଳି ଭାବରେ ସେ ଟ୍ରେନରୁ କିଛି ପଇସା ରୋଜଗାର କରି ନିଜ ପେଟ ପୋଷିଥିଲେ । ତେବେ ଗତ ବର୍ଷ ଡିସେମ୍ବର ୨୭ ତାରିଖରେ ବିରେନ ଭୁବନେଶ୍ୱର ଷ୍ଟେସନରେ ପଡିଯାଇଥିଲେ । ତାଙ୍କୁ ‘ଓଡିଶା ପିଡିତା ଉଦ୍ଧାର ସମିତି’ ତାଙ୍କୁ ଉଦ୍ଧାର କରି ଗଙ୍ଗନଗରସ୍ଥିତ ଆଶ୍ରୟସ୍ଥଳିରେ ଛାଡିଥିଲେ । ସେଠାରେ ସେ ରହୁଥିଲେ । ଏବଂ ଆଶ୍ରୟହୀନ ଲୋକଙ୍କ ସହିତ ମିଶି ନିଜର ସମ୍ପର୍କ ଆରମ୍ଭ କରି ନିଜ ଘର ବନେଇ ଦେଇଥିଲେ । ତେବେ ନିଜ ପରିବାର କଥା ମନେପଡିବା ପରେ ଘରକୁ ଫୋନ କରିବା ପାଇଁ କହିଥିଲେ ବିରେନ । କିନ୍ତୁ ଫୋନରେ ପରିବାର ଲୋକ ଯାହା କହିଥିଲେ ତାହା ଶୁଣିବା ପରେ ଯେ କହିବି କାନ୍ଦି ପକାଇବ । ପରିବାର ଲୋକ କହିଥିଲେ ଯଦି ଘରକୁ ଆସିବ ଆସ । ସମ୍ପତି ଭାଗ ବଣ୍ଟା ହେବା ପରେ ପୁଣିଥରେ ଘରୁ ତଡି ଦେବୁ । ଏହି କଥା ଶୁଣିବା ପରେ ସେଦିନ ଅଧା ମରିଯାଇଥିଲେ ବିରେନ । ତେବେ ଏଭଳି ପରିବାର କଥା ଭାବି ଭାବି ଣେଷରେ ମଙ୍ଗଳବାର ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ବିରେନ । କିନ୍ତୁ ଅନ୍ତିମ ସଂସ୍କାର ସମୟରେ କେହି ଆତ୍ମୀୟ ସ୍ୱଜନ ଆସିନଥିଲେ ।