ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଶନିବାର ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ଓଡିଶାର ପୂର୍ବତନ ମୁଖ୍ୟମମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ । ଏହି ମିଶ୍ରଣ ସମୟରେ କଂଗ୍ରେସ ଛାଡି ନିକଟରେ ବିଜେଡିରେ ଯୋଗ ଦେଇଥିବା ପୂର୍ବତନ ବିଧାୟକ ନବ ଦାସ ଉପସ୍ଥିତ ଥିଲେ । ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସୁନିତା ବିଜେଡିରେ ଯୋଗ ଦେଇଛନ୍ତି ବୋଲି ସୂଚନା ଦେଇଛନ୍ତି । ସେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିବା ବେଳେ ସୁନ୍ଦରଗଡ ଏବଂ ଝାରସୁଗୁଡା କଂଗ୍ରେସକୁ ଲାଗିଛି ଶକ୍ତ ଝଟକା ।
ସୁନିତା ସୁନ୍ଦରଗଡ ଜିଲ୍ଲାର କଂଗ୍ରେସ କାର୍ଯ୍ୟକାରୀ ସଭାପତି ଥିଲେ । ତେବେ ସୁନିତାଙ୍କ ଯୋଗ ଦାନ ଏଠାରେ ବିଜେଡି ପାଇଁ ପ୍ଳସ ପଏଣ୍ଟ ହେବ ବୋଲି ରାଜନିତି ବିଶେଷଜ୍ଞମାନେ ମତ ଦେଇଛନ୍ତି । ସେପଟେ ନିକଟରେ ସୁନିତାଙ୍କ ଦୁଇ ଦାଦା କ୍ଷୀରସାଗର ବିଶ୍ୱାଳ ଏବଂ ବିହାରୀ ବିଶ୍ୱାଳ ମଧ୍ୟ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ । ବାପା କଂଗ୍ରେସରେ ଥିବା ବେଳେ ଝିଅ ବିଜେଡିରେ ଯୋଗ ଦେବାକୁ ନେଇ ସାଧାରଣ ମହଲରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ତେବେ ଝିଅ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେବା ବିଷୟରେ ହେମାନନ୍ଦଙ୍କୁ ପଚାରିବାରୁ ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି କି ସେ ଛୋଟ ଛୁଆ ନୁହେଁ । ଏଣୁ ସେ ତା ନିଜ ନିଷ୍ପତି ନିଜେ ନେଇଛି ।
ବିଜେଡି ସୁନୀତାଙ୍କୁ ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିବ ବୋଲି ଯୋଜନା ରହିଥିବା ଆଲୋଚନା ହେଉଛି । ତେବେ ଏହାକୁ ସୁନୀତା ମଧ୍ୟ ଅସ୍ବୀକାର କରିନାହାନ୍ତି । ସେ କହିଛନ୍ତି ନିର୍ବାଚନ ସମୟରେ ଏମିତି ଚର୍ଚ୍ଚା ହୁଏ, ନିଷ୍ପତ୍ତି ନେଲେ ଗଣମାଧ୍ୟମକୁ ଆଗ ଜଣାଇବି । ଅସମର୍ଥିତ ସୂତ୍ର ଅନୁସାରେ, ସୁନୀତା କଂଗ୍ରେସର ଲୋକସଭା ପ୍ରାର୍ଥୀ ହେବାକୁ ମନ ବଳାଇଥିଲେ । କିନ୍ତୁ ନିକଟରେ କଂଗ୍ରେସରେ ଯୋଗ ଦେଇଥିବା ବୀରମିତ୍ରପୁର ବିଧାୟକ ଆଦିବାସୀ ନେତା ଜର୍ଜ ତିର୍କୀଙ୍କ ନାମ ଲୋକସଭା ପାଇଁ ଏକ ପ୍ରକାର ଚୁଡ଼ାନ୍ତ ହୋଇଥିଲା । ଏବଂ ସୁନୀତାଙ୍କ ନାମ ସୁନ୍ଦରଗଡ଼ ବିଧାନସଭା ଆସନ ପାଇଁ ସୁପାରିସ କରାଯାଇଥିଲା । ତେବେ ଏଥିରେ ଅସନ୍ତୁଷ୍ଟ ଥିଲେ ସୁନୀତା । ଏଥିପାଇଁ ସେ ବିଜେଡିରେ ଯୋଗଦେବା ପାଇଁ ମନବଳାଇଥିଲେ ବୋଲି କୁହାଯାଉଛି ।