ଭୁବନେଶ୍ୱର (ଏଟିଆର ବ୍ୟୁରୋ); ‘କାଳିଆ’ ଯୋଜନା ଘୋଷଣା ହେବା ପରଠାରୁ ଚର୍ଚ୍ଚାରେ ରହି ଆସିଛି । ଆଜି ପୁଣି ଏକ କାରଣ ପାଇଁ ଗୋଳିଆରେ ପଡିଛି ‘କାଳିଆ’ । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଯୋଜନାର ସମୟସୀମାକୁ ବୃଦ୍ଧି କରିଛନ୍ତି ସରକାର । ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି । ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିଲେ ସୁଦ୍ଧା ଶାସକ ଦଳ ଚାଷୀ ଭୋଟ ବ୍ୟାଙ୍କ ହାତେଇବା ପାଇଁ ଏହି ସମୟସୀମା ବୃଦ୍ଧି କରାଯାଇଛି ବୋଲି ମୁଖ୍ୟ ନିବାର୍ଚନ ଅଧିକାରୀଙ୍କ ନିକଟରେ ଫେରାଦ ଦେଇଛି ବିଜେପି । ତେବେ ନିର୍ବାଚନ ଆଚରଣ ବିଧି ଲାଗୁହେବା ପରେ ‘କାଳିଆ’ ଯୋଜନାର ସମୟସୀମା ବୃଦ୍ଧି କରାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ । ଯାହାକି ଆଚରଣ ବିଧିକୁ ଉଲଘଂନ ହେଉଛି ।ଏଣୁ ଅର୍ଥମନ୍ତ୍ରୀଙ୍କୁ ବହିଷ୍କାର କରାଯାଉ ବୋଲି ଅଭିଯୋଗ କରିଛି ବିଜେପି ।
ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ ଯାଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିଲେ । ତେବେ ଶାସକ ଦଳର ମୁଖ୍ୟ ଲକ୍ଷ୍ୟ ହେଉଛି ଦଳୀୟ ଭୋଟରଙ୍କୁ ମନ ବୋହିବା । ସିଧା ସଳଖ ସରକାର ଭୋଟ ପାଇଁ ନୋଟ ନଦେଇ ଯୋଜନା ମାଧ୍ୟମରେ ନିର୍ବାଚନ ସମୟରେ ଟଙ୍କା ବାଣ୍ଟିବା ହେଉଛି ମୁଖ୍ୟ ଉଦ୍ଦେଶ୍ୟ ବୋଲି ଅଭିଯୋଗ କରିଛି ବିଜେପି । କିନ୍ତୁ ଏହାକୁ ଖଣ୍ଡନ କରିଛି ବିଜେଡି । ଏହା ଏକ ନିରନ୍ତର ଯୋଜନା । ୬୦ ଦିନ ଭିତରେ ଏତେ ଚାଷୀଙ୍କୁ ଟଙ୍କା ଦେବା କିଛି କମ୍ କଥା ନୁହେଁ । ଯଦି କେହି ବଞ୍ଚିତ ହୋଇଥିବେ କିମ୍ବା କାହା ନାମ ଏକାଧିକ ଥର ଆସିଥିବ ସରକାର ସେଥିପାଇଁ ପଦକ୍ଷେପ ନିଆଯାଉଛି। କୌଣସି ଯୋଗ୍ୟ ଚାଷୀ କାଳିଆ ଯୋଜନାରୁ ବଞ୍ଚିତ ହେବେ ନାହିଁ । ତେଣୁ ଏହାକୁ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ପରିବର୍ଦ୍ଧିତ କରାଯାଇଛି ବୋଲି ସୂଚିତ କରିଥିଲେ ଅର୍ଥମନ୍ତ୍ରୀ ।