ବ୍ରହ୍ମପୁର,(ଏଟିଆରବ୍ୟୁରୋ): ବାହାଘରର ବର୍ଷେ ବିତିନି । କିନ୍ତୁ ମରଣ ସହ ଏବେ ସଂଗ୍ରାମ କରୁଛନ୍ତି ନବବଧୂ । ନିଆଁରେ ପୋଡି ହୋଇ ସେ ଗୁରୁତର ଆହତ ହୋଇଛନ୍ତି । ଶରୀରର ୭୦ ପ୍ରତିଶତ ପୋଡି ଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ରହିଛି । ଅଧିକ ଚିକିତ୍ସା ଲାଗି ବର୍ତ୍ତମାନ ଆହତ ମହିଳାଙ୍କୁ କଟକ ବଡ଼ ମେଡିକାଲକୁ ପଠାଇ ଦିଆଯାଇଛି । ତେବେ ଏହା ପଛରେ କୌଣସି ଷଡଯନ୍ତ୍ର ରହିଛି କି’ ନାହିଁ ସେନେଇ ଅଧିକ ଖୋଳତାଡ ଆରମ୍ଭ କରିଛି ପୁଲିସ ।
ଘଟଣା ହେଉଛି ବ୍ରହ୍ମପୁର କମାପଲ୍ଲୀ ବଡ଼ସାହି ଅଞ୍ଚଳର । ପୁଲିସ ଏହି ଘଟଣାରେ ଆହତ ମହିଳାଙ୍କ ସ୍ୱାମୀ ଓ ବଡ଼ଭାଇଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି । ରିପୋର୍ଟ ଅନୁସାରେ, ଆହତ ମହିଳାଙ୍କ ନାଁ ଦୀପ୍ତିରାଣୀ ସାହୁ । ଆଜକୁ ୧୧ମାସ ତଳେ ସେ କମାପଲ୍ଲୀ ବଡ଼ସାହିର ଚକ୍ରପାଣୀ ପାତ୍ରଙ୍କୁ ବିବାହ କରିଥିଲେ । ତେବେ ଆଜି ଘରେ କେହି ନଥିବା ବେଳେ ଦୀପ୍ତି ନିଆଁରେ ପୋଡି ହୋଇ ଚିକ୍ରାର କରୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ତୁରନ୍ତ ସେମାନେ ପୁଲିସକୁ ଖବର ଦେବା ସହ ଦୀପ୍ତିଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲେ । ଦୀପ୍ତିଙ୍କ ଦେହରୁ କିରୋସିନି ବାସ୍ନା ବାହାରୁଥିବା ଡାକ୍ତରୀ ସୂତ୍ରରୁ ଜଣାପଡିଛି ।
ତେବେ ଦୀପ୍ତି ନିଜେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ନା’ ତାଙ୍କୁ ହତ୍ୟା କରିବାକୁ ଯୋଜନା କରାଯାଇଥିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ସେପଟେ ଏନେଇ ଅଧିକ ଖୋଳତାଡ ଆରମ୍ଭ କରିଛି ପୁଲିସ । ଖୁବ ଶୀଘ୍ର ଘଟଣାର ପର୍ଦ୍ଦାଫାସ ହେବ ବୋଲି ପୁଲିସ କହିଛି ।