ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଶେଷରେ ସବୁ କଳ୍ପନା ଜଳ୍ପନା ଅନ୍ତ ଘଟାଇ ବିଜେପିରେ ଯୋଗ ଦେଲେ ସାଲେପୁର ବିଧାୟକ ପ୍ରକାଶ ବେହେରା । ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ପଦ୍ମ ଧରିଛନ୍ତି ପ୍ରକାଶ । ଏହି ମିଶ୍ରଣ ପର୍ବରେ ଯୋଗ ଦେଇଛନ୍ତି ପ୍ରଦେଶ ସଭାପତି ବସନ୍ତ ପଣ୍ଡା,କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏବଂ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ପ୍ରମୁଖଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି।
ଶନିବାର ଦୀର୍ଘ ୨୦ ବର୍ଷର ସମ୍ପର୍କକୁ କାଟି ବାଏ ବାଏ କହିଥିଲେ ପ୍ରକାଶ । ସଂନ୍ଧ୍ୟାରେ ଦିଲ୍ଲୀ ଗସ୍ତରେ ଯାଇଥିବା ବେଳେ ସେ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିଲା । ରବିବାର ସେ ବିଜେପିରେ ଯୋଗ ଦେବା ପରେ ସବୁ କଳ୍ପନା ଜଳ୍ପନା ସତରେ ପରିଣତ ହୋଇଥିଲା । ପ୍ରକାଶ ବିଜେପିରେ ଯୋଗ ଦେବା ପରେ ସାଲେପୁରରେ ବିଜେପିର ଶକ୍ତି ବୃଦ୍ଧି ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି । କଂଗ୍ରେସରେ ତାଙ୍କୁ ଅଣ ଦେଖା କରୁଥିବାରୁ ସେ କଂଗ୍ରେସର ହାତ ଛାଡିଥିଲେ ।
ଦେଢ଼ ବର୍ଷ ହେବ ପ୍ରକାଶ କଂଗ୍ରେସ ଛାଡିବେ ବୋଲି ଚର୍ଚ୍ଚା ହେଉଥିଲା । ଏଣୁ ସେ ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଉନଥିଲେ । ତେବେ ସେ ପ୍ରଥମେ ବିଜେଡିରେ ଯୋଗ ଦେବେ ବୋଲି ଶୁଣିବାକୁ ମିଳିଥିଲା । କିନ୍ତୁ ପ୍ରତାପ ଜେନା ପ୍ରସାନ୍ତ ବେହେରାଙ୍କୁ ପ୍ରାର୍ଥୀ ଭାବରେ ଘୋଷଣା କରିବା ପାଇଁ ଗ୍ରୀନ ସିଗନାଲ ଦେବା ପରେ ପ୍ରକାଶଙ୍କ ବିଜେଡି ଆଶା ମଉଳି ଯାଇଥିଲା । ଶେଷରେ ବିଜେପିକୁ ଭରଷା କରି ପଦ୍ମ ପୋଖରୀରେ ବୁଡ ମାରିଛନ୍ତି ପ୍ରକାଶ ।