ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବିଜେଡି ଟିକେଟ ପାଇଁ ଦଳୀୟ କର୍ମୀମାନେ ନବୀନ ନିବାସରେ ଲମ୍ବା ଲାଇନ ଲଗାଇଛନ୍ତି । ୫ଦିନରେ ୩୫ହଜାରରୁ ଅଧିକ ପ୍ରାର୍ଥୀ ନବୀନଙ୍କୁ ଭେଟିଥିବା ଦେଖିବାକୁ ମିଳିଛି । ତେବେ ଏଥିରୁ ବାଦ ପଡିନାହାଁନ୍ତି ପଦ୍ମଶ୍ରୀ ହଳଧର । ରବିବାର ନବୀନ ନିବାସରେ ଡେରା ପକାଇଥିବା ଦେଖିବାକୁ ମିଳିଛି । ହଳଧର ନାଗ ନବୀନ ନିବାସରେ ପହଂଚିବାପରେ ସେ ପ୍ରତ୍ୟକ୍ଷ ରାଜନୀତିରେ ଏଂଟ୍ରି କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ସେ କେଉଁ ଆସନରୁ ଲଢିବେ, ଟିକେଟ ପାଇଁ ଆଶାୟୀ ଅଛନ୍ତି କି ନାହାନ୍ତି ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ଖୁବଶୀଘ୍ର ବିଜେଡି ପ୍ରଥମ ପର୍ୟ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ । ତେଣୁ କାହାକୁ ମିଳିବ ଟିକେଟ ସେନେଇ ନବୀନ ନିବାସରେ ଡେରା ପକାଇଛନ୍ତି ପଶ୍ଚିମ ଓଡିଶାର ନେତା ମନ୍ତ୍ରୀ ସାଂସଦ । ଦଳଧରଙ୍କ ସହିତ ହକି କିମ୍ବଦନ୍ତୀ ଦିଲୀପ ତିର୍କୀ ମଧ୍ୟ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ।
ସେପଟେ ନବୀନ ନିବାସରେ ଗତକାଲି ରାତିରେ ବି ନେତାଙ୍କ ଭିଡ ଦେଖିବାକୁ ମିଳିଥିଲା । ଦଳର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂଦଓ, ପିନାକୀ ମିଶ୍ର, ଅନନ୍ତ ଦାସଙ୍କ ସମେତ ଅନ୍ୟ ନେତା ନବୀନ ନିବାସ ଆସିଥିଲେ । ସାମାଜିକ କର୍ମୀ ମୀରା ପରିଡାଙ୍କୁ ବି ନବୀନ ନିବାସରେ ଦେଖିବାକୁ ମିଳିଥିଲା । ଆଗାମୀ ନିର୍ବାଚନରେ ନିର୍ବାଚନ ନ ଲଢିବାକୁ ଘୋଷଣା କରିଛନ୍ତି ଅନଙ୍ଗ ଉଦୟ । ସେ କହିଛନ୍ତି, ଆଗାମୀ ନିର୍ବାଚନରେ ନବୀନ ପଟ୍ଟନାୟଙ୍କ ବିଜୟ ହେବ । ସେହିଭଳି ଅନନ୍ତ ଦାସ ବି କହିଛନ୍ତି, ନିର୍ବାଚନ ଲଢିବାକୁ ତାଙ୍କୁ ସବୁଜ ସଙ୍କେତ ମିଳିସାରିଛି ।