ଗଞ୍ଜାମ (ଏଟିଆର ବ୍ୟୁରୋ); ବୁଧବାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଗଞ୍ଜାମ ଜିଲ୍ଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଲଢ଼ିବେ ନବୀନ । ଆଜି ଦିନ ୧୧.୧୫ ବେଳେ ବହୁ ସମର୍ଥକଙ୍କ ସହ ଯାଇ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଚାରିଥର ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ଏଥର ମୁଖ୍ୟମନ୍ତ୍ରୀ ହୋଇ ରେକର୍ଡ କରିବାରେ ରହିଛନ୍ତି । ଏଣୁ ଗଞ୍ଜାମ ଜିଲ୍ଲାର ବହୁ ତୁଙ୍ଗ ନେତା ଏବଂ ହଜାର ହଜାର ସମର୍ଥକଙ୍କ ସହ ବିଶାଳ ରାଲିରେ ପ୍ରାର୍ଥୀପତ୍ର ଦାଖଲ କରିବା ପାଇଁ ଛତ୍ରପୁର ଉପଜିଲ୍ଲାପାଳଙ୍କ ନିକଟରେ ପହଁଞ୍ଚିଥିଲେ ।
ଆଜି ଗଞ୍ଜାମରେ ପହଁଞ୍ଚିବା ପରେ ପ୍ରଥମେ ପ୍ରଖ୍ୟାତ ଠାକୁରାଣୀ ମା ତରା ତାରିଣୀଙ୍କ ପାଖକୁ ଯାଇ ଆଶୀର୍ବାଦ ଭିକ୍ଷା କରିବା ସହିତ ସମର୍ଥକଙ୍କ ସହିତ ପଟୁଆରରେ ବାହାରିଥିଲେ ନବୀନ । ମୁଖ୍ୟମନ୍ତ୍ରୀଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରାଇବେ ବୋଲି ସ୍ଥାନୀୟ ନେତା ଏବଂ କର୍ମୀ କହିଛନ୍ତି । ତେବେ ଏହା କେତେଦୂର ସତ ହେବ ତାକୁ ସମସ୍ତଙ୍କ ଅପେକ୍ଷା । ପୂର୍ବ ନିର୍ବାଚନ ଅପେକ୍ଷା ଚଳିତ ନିର୍ବାଚନରେ ସବୁଠାରୁ କଡା ଟକ୍କର ହେବ ବୋଲି ଆଶା କରାଯାଇଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏହି ଆସନରୁ କିଏ ପ୍ରାର୍ଥୀ ହୋଇ ନିର୍ବାଚନ ମଇଦାନକୁ ଓହ୍ଲାଇବ ତାଉପରେ ସମସ୍ତଙ୍କ ନଜର ।
ପ୍ରଥମ ପର୍ଯ୍ୟାୟ ପାଇଁ ଗତ ୧୮ ତାରିଖରୁ ଆରମ୍ଭ ହୋଇଛି ନାମାଙ୍କନ । ତେବେ ପ୍ରଥମ ଦିନରେ ମାତ୍ର ୪ଜଣ ନାମାଙ୍କନ କରିଥିଲେ । ନବୀନ ନିଜର ରାଜନୈତିକ କ୍ୟାରିୟର ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ ଆରମ୍ଭ କରିଥିଲେ । ସେଠାରେ ୪ଥର ନିର୍ବାଚନ ଜିତି ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିଛନ୍ତି । ଏଥର ଦୁଇଟି ସ୍ଥାନରୁ ନିର୍ବାଚନ ଲଢ଼ିବେ ନବୀନ । ବିଜେପୁରରୁ ମଧ୍ୟ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରାଯାଇଛି । ଏଣୁ ଆସନ୍ତା ୨୫ ତାରିଖରେ ବିଜେପୁର ପାଇଁ ପ୍ରାର୍ଥୀପତ୍ର ଘୋଷଣା କରିପାରନ୍ତି ବୋଲି ଶୁଣିବାକୁ ମିଳିଛି ।