ଗଞ୍ଜାମ (ଏଟିଆର ବ୍ୟୁରୋ); କିଛିଦିନର ବିରତି ପରେ ପୁଣିଥରେ ଗଞ୍ଜାମରେ ଏନକାଉଣ୍ଟର । ଏଥଋଳ ପୋଲିସ ଗୁଳିରେ ଗୁରୁତର ଆହତ ହୋଇଛି ଦୁର୍ଦ୍ଧାନ୍ତ ଅପରାଧୀ ମନୋଜ ସ୍ୱାଇଁ । ପୋଲିସର ଗୁଳି ତା ବାମ ଗୋଡରେ ବାଜିଛି । ତାକୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ତା ପାଖରୁ ଗୋଟିଏ ମାଉଜର,ଗୁଳି,ବାଇକ,ମାଗାଜିନ ଜବତ କରିଛି । ତେବେ ଏନକାଉଣ୍ଟର ବେଳେ ଅପରାଧୀଙ୍କ ପାଲଟା ଗୁଳିରେ ୪ଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ମଧ୍ୟ ଚିକିତ୍ସା କରାଯାଉଛି ।
ସୂଚନା ଅନୁଯାୟୀ ଆଜି ଭୋର ସାଢ଼େ ୪ଟା ସମୟରେ ଦୁର୍ଦ୍ଧାନ୍ତ ଅପରାଧୀ ମନୋଜକୁ ପୋଲିସ କାବୁ କରିବା ପାଇଁ ଯାଉଥିବା ବେଳେ ସେ ଏବଂ ତାର ସହଯୋଗୀ ଗୁଳି ଚଳାଇଥିଲେ । କିଛି ସମୟ ପୋଲିସ ଏବଂ ଅପରାଧୀଙ୍କ ମଧ୍ୟରେ ଏଭଳି ଗୁଳିଚାଳନା ହୋଇଥିଲା । ତେବେ ପୋଲିସ ଗୁଳିରେ ମନୋଜ ଆହତ ହୋଇଥିବା ବେଳେ ଅପରାଧୀଙ୍କ ଗୁଳିରେ ୪ଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି ।
ଆହତ ମନୋଜକୁ ପ୍ରଥମେ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପଣ୍ଣ ହେବାରୁ ତାକୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ମନୋଜର ସହ ଥିବା ସହଯୋଗୀ ଫେରାର ହୋଇଯାଇଛି । ତାକୁ ଖୋଜିବା ପାଇଁ ତନାଘନା କରୁଛି ପୋଲିସ । ଗଞ୍ଜାମ ପୁଲିସର ଏହା ଥିଲା ୬୦ତମ ଏନ୍କାଉଣ୍ଟର୍ ଏବଂ ମନୋଜ ହେଉଛି ୬୫ତମ ଶିକାର। ପୋଲିସର ଏହି ସଫଳତା ପରେ ବେଶ ପ୍ରଂସଶା କରିଛନ୍ତି ଜନସାଧାରଣ ।