ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ନାଲି ନିଳ ଲାଇଟରେ ପୂରା ଝଲସୁଥିଲା ପରିବେଶ । ବାଜୁଥିଲା ଡିଜେ, ନାଚୁଥିଲେ ସୁନ୍ଦରୀ ତରୁଣୀ । ହେଲେ ଅଚାନକ ସବୁ ଓଲଟପାଲଟ ହୋଇଗଲା । ମଦୁଆଙ୍କ ମୁଣ୍ଡକୁ ଚଢ଼ିଥିବା ନିଶା ଏକାବେଳକେ ନାକ ତଳକୁ ଖସିଗଲା । ଷଣ୍ଢ ପୁରାଇଲା ପୁଲିସ । ଅଚାନକ ଚଢ଼ାଉ କଲା । ବିଳମ୍ବିତ ରାତିରେ ବେଆଇନ ଭାବେ ଚାଲୁଥିବା ଡ୍ୟାନ୍ସ ବାର ଉପରେ ଆଜି ଅଚାନକ ଚଢ଼ାଉ କରିଛି କମିଶନରେଟ ପୁଲିସ ।
ଏଥରକ ପୁଲିସ ସ୍କାନରରେ ରହିଛି ଲକ୍ଷ୍ମୀସାଗର ଅଞ୍ଚଳ । କଟକରୋଡରେ ଥିବା ୩ଟି ବାର ଉପରେ ଚଢ଼ାଉ କରିଛି ପୁଲିସ । ୯ଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହ କିଛିଦିନ ଲାଗି ବାରକୁ ବନ୍ଦ ରଖାଯାଇଛି । ମିଳିଥିବା ରିପୋର୍ଟ ଅନୁସାରେ, ବିଳମ୍ବିିତ ରାତିରେ ଡ୍ୟାନ୍ସ ବାର ଚାଲୁଥିବା ବେଳେ ଏହାକୁ ନେଇ ବହୁ ସମୟରେ ଅପ୍ରୀତିକର ପରିସ୍ଥିତି ଉପୁଜୁଥିଲା । ଏନେଇ ଅଭିଯୋଗ ହେବା ପରେ ପୁଲିସ ପୂରା ଘଟଣା ଉପରେ ନଜର ରଖିଥିଲା । କଟକ ରୋଡରେ ଥିବା ଦ ଉଇଣ୍ଡ, ଦୀପାଳି ଓ ଅଶୋକା ବାରରେ ନୀୟମକୁ ଉଲଙ୍ଘନ କରାଯାଇଥିବା ନଜରକୁ ଆସିବା ପରେ ପୁଲିସ ଏହି ଚଢ଼ାଉ କରିଛି ।
ଦ ଉଇଣ୍ଡ ବାରରୁ ଅଧିକ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ସେପଟେ ସମସ୍ତ ବାରକୁ କିଛିଦିନ ଲାଗି ବନ୍ଦ ରଖିବାକୁ ପୁଲିସ ନିର୍ଦ୍ଦେଶ ଦେଇଛି । ଯାଞ୍ଚ ପରେ ବାର ଖୋଲିବାକୁ ସିଧାସଳଖ ଶୁଣାଇ ଦେଇଛି ଲକ୍ଷ୍ମୀସାଗର ଥାନା ପୁଲିସ । ସେପଟେ ପ୍ରଧାନମନ୍ତ୍ରୀ ଆସୁଥିବା ନେଇ ପୂରା ସହର ଉପରେ କଡ଼ା ନଜର ରଖିଛି କମିଶନରେଟ ପୁଲିସ । ସମସ୍ତ ହୋଟେଲଗୁଡିକୁ ଯାଞ୍ଚ କରାଯାଉଥିବା ସୂଚନା ମିଳିଛି ।