ଭୁବନେଶ୍ୱର,(ଏଟିଆରବ୍ୟୁରୋ): ଟିକେଟ ବଣ୍ଟାକୁ ନେଇ ଏବେ ସବୁଠି ତୁମୁଳକାଣ୍ଡ । ନିଜ ପ୍ରୀୟ ନେତାଙ୍କ ଟିକେଟ କଟିବା ପରେ ଉତ୍ପାତ ମଚାଉଛନ୍ତି କର୍ମୀ । ସେ ବିଜେଡି ବିଜେପି ହେଉ ଅବା କଂଗ୍ରେସ । ସମସ୍ତଙ୍କ ସେହି ସମାନ ଦଶା । ପ୍ରଥମେ ପ୍ରଥମେ ଯଦିଓ ଏଭଳି କାଣ୍ଡ ବିଜେଡିରେ ଦେଖିବାକୁ ମିଳୁଥିଲା ଏବେ କିନ୍ତୁ ସବୁ ଦଳର ହାଲତ ଏକାପରି ।
ଆଜି ପୁଣି ଏଭଳି ଲଙ୍କାକାଣ୍ଡ ଘଟିଛି ବାଲେଶ୍ୱରର ନିଳଗିରି ଅଞ୍ଚଳରେ । କଂଗ୍ରେସରେ ଟିକେଟ ବଣ୍ଟାକୁ ନେଇ କର୍ମୀ କରିଛନ୍ତି ହଂଗାମା । ଖାଲି ହଙ୍ଗାମା ତ’ ନୁହେଁ ବରଂ ପରିସ୍ଥିତି ଧସ୍ତାଧସ୍ତି ପର୍ଯ୍ୟନ୍ତ ଯାଇଛି । ମୁହାଁମୁହିଁ ହୋଇଛନ୍ତି ଦୁଇଗୋଷ୍ଠୀ । ପରିସ୍ଥିତି ଉତ୍ତେଜନା ମୁଳକ ଥିବା ବେଳେ ଏବେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ବୁଝାସୁଝା ଚଳାଇଛି । ରିପୋର୍ଟ ଅନୁସାରେ, ମନୋଜା ମଞ୍ଜରୀ ଦେବୀଙ୍କୁ ଏଥରକ ନିର୍ବାଚନ ଲଢ଼ିବା ଲାଗି କଂଗ୍ରେସ ଗ୍ରିନ୍ ସିଗ୍ନାଲ ଦେଖାଇ ଟିକେଟ ଦେଇଛି । ଯାହା ଏହି ଲଢ଼େଇର ମୂଳ କାରଣ ବୋଲି ଜଣାପଡିଛି । ଅଭିଯୋଗ ହୋଇଛି ସ୍ଥାନୀୟ ଅଞ୍ଚଳର ବେଶ ଜଣାଶୁଣା ପ୍ରାର୍ଥୀ ଚିତ୍ତରଂଜନ ଷଡଙ୍ଗୀ ଏହି ଟିକେଟ ଲାଗି ବେଶ ଆଶାୟୀ ଥିଲେ । ହେଲେ ସେହି ଆଶା କେବଳ ଆଶାରେ ରହିଗଲା ।
ପୂର୍ବରୁ ବିଧାୟକ ଥିବା ଚିତ୍ତ କଂଗ୍ରେସ ଲାଗି ନିର୍ବାଚନ ଲଢ଼ିବା ଆଶା ଫସର ଫାଟିବା ପରେ ତାଙ୍କ ସମର୍ଥକଙ୍କ ମଧ୍ୟରେ ଦେଖାଦେଇଥିଲା ଅସନ୍ତୋଷ । ବାସ ଏହାପରେ ସମର୍ଥକମାନେ କାର୍ଯ୍ୟାଳୟରେ ପଶି ହୋହାଲ୍ଲା କରିଥିଲେ । ଠିକ୍ ଏହି ସମୟରେ ମନୋଜା ମଞ୍ଜରୀଙ୍କ ସମର୍ଥକଙ୍କ ସହ ସେମାନଙ୍କ ମୁହାଁମୁହିଁ ହୋଇଥିଲା । ଏହାପରେ ପ୍ରଥମେ କଥାକଟାକଟି ଓ ପରେ ଧସ୍ତାଧସ୍ତି ହୋଇଥିଲା । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଭଳି ଅଘଟଣ ସେତେବେଳେ ଘଟିଛି ଯେତେବେଳେ ପିସିସି ସଭାପତିଙ୍କ ପୁଅ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ନିଳଗିରି ଯାଇଥିଲେ । ହେଲେ ସେ ପହଞ୍ଚିବା ପୂର୍ବରୁ ଚିତ୍ତରଂଜନଙ୍କ ସମର୍ଥକମାନେ ଏଭଳି ହଙ୍ଗାମା ମଚାଇଥିଲେ । ଫଳସ୍ୱରୂପ କାର୍ଯ୍ୟକ୍ରମ ଏଥିପାଇଁ ବାତିଲ ହୋଇଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ, ପୂର୍ବରୁ ଏହି ଟିକେଟ ଲାଗି କେଉଁଠି ପୋଷ୍ଟର ପୋଡା ତ’ ପୁଣି କେଉଁଠି ଗାଡିମୋଟର ଏପରିକି ଅଫିସ ଭଙ୍ଗାରୁଜା ହୋଇଥିବା ଦେଖିବାକୁ ମିଳୁଛି । ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମଧ୍ୟ ଉତ୍ତେଜନା ଦେଖାଦେଇଥିଲା । ଟିକେଟ ବଣ୍ଟାରେ ପାତରଅନ୍ତର ହୋଇଥିବା ଅଭିଯୋଗ ଆଣି କର୍ମୀମାନେ ତାଲା ପକାଇବା ସହ ପାଟିତୁଣ୍ଡ କରିଥିଲେ । ପରିସ୍ଥିତି ଏପରି ହୋଇଥିଲା ଯେ, ପୁଲିସ ଏକ ପ୍ରକାର ନାକେଦମ ହୋଇଥିଲା । ପୂରା ଘଟଣାକୁ ଦେଖିଲେ ୨୦୧୯ନିର୍ବାଚନ ଲାଗି ଯେଉଁ ରାଜନୀତି ହାୱା ବୋହୁଛି କେତେବେଳେ କ’ଣ ଘଟୁଛି ତାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ପ୍ରଥମେ ଦଳ ଡିଆଁ ଆଉ ଏବେ ଟିକେଟ ପାଇଁ ଲୋକଙ୍କ ମନରେ ନିଆଁ ଲାଗିବା ଘଟଣା ଆଗକୁ କେଉଁ ରୂପ ନେଉଛି ତାହା ଦେଖିବାର ରହିଲା । ବ୍ୟୁରୋ ରିପୋର୍ଟ ଏଟିଆର ନ୍ୟୁଜ୍