ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବିଜେଡିକୁ ବାଏ ବାଏ କରିଛନ୍ତି ଯାଜପୁର ପୂର୍ବତନ ସାଂସଦ ମୋହନ ଜେନା । ସେ ନିଜର ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇ ଦେଇଛନ୍ତି । ତେବେ ମୋହନଙ୍କ ଇସ୍ତଫା ପରେ ବିଜେଡିକୁ ଲାଗିଛି ଶକ୍ତ ଝଟକା । ଦୁଇ ଦୁଇ ଥର ସାଂସଦ ହୋଇଥିବାରୁ ତାଙ୍କର ଲୋକପ୍ରିୟତା ମଧ୍ୟ ଭଲ ରହିଛି । ଏଣୁ ଯାଜପୁରରେ ବିଜେଡିର ଭୋଟ ମାଇନଓ ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ପ୍ରାର୍ଥୀ ଘୋଷଣା ହେବା ପରଠାରୁ ରାଜ୍ୟ ରାଜନୀତିରେ ଏଭଳି ଜଣକ ପରେ ଜଣେ ସଦସ୍ୟ ଦଳ ଛାଡି ଯାଉଛନ୍ତି । ଯାହାକି ଆଗାମୀ ଦିନରେ ଦଳକୁ ଅସୁବିଧାରେ ପକାଇପାରେ ବୋଲି ଶୁଣିବାକୁ ମିଳୁଛି ।
ବିଜେଡି ଏବେ ଏକ ପ୍ରାଇଭେଟ ଲିମିଟେଡ କମ୍ପାନୀ । ଦଳ ଜଣେ ଆଇଏସ ଅଫିସର ଏବଂ ଚାରି ପାଞ୍ଚଜଣ ବୋଲକରା ନେତାଙ୍କ କ୍ଷମତାକୁ କରାୟତ କରିଛନ୍ତି । ଏଣୁ ସେ ଏଭଳି ଏକ ଦଳରେ ରହିବା ପାଇଁ ଚାହୁଁ ନାହାଁନ୍ତି । ଏଣୁ ସେ ଦଳରୁ ଇସ୍ତଫା ଦେଇଥିବା ଉଲ୍ଲେଖ କରିଛନ୍ତି । ମୋହନ ଜେନା ଆହୁରି ଲେଖିଛନ୍ତି ଯେ ଓଡ଼ିଶାର ପ୍ରାୟ ୪୦ ପ୍ରତିଶତ ଲୋକ ହେଉଛନ୍ତି ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନଜାତିର। ସେମାନଙ୍କ ଭୋଟ୍ରେ ନବୀନ ବାବୁ କ୍ଷମତାରେ ବସିଛନ୍ତି। କିନ୍ତୁ ରାଜ୍ୟରେ ଦଳିତ, ଆଦିବାସୀ ଛାତ୍ରୀ ଓ ନାରୀଙ୍କ ଉପରେ ନିର୍ୟାତନା ବଢ଼ିଛି। ଏଥିପାଇଁ ସେ ଦଳ ତ୍ୟାଗ କରୁଛନ୍ତି।
ସୂଚନାଯୋଗ୍ୟ, ମୋହନ ଜେନା ବିଜେଡି ଟିକେଟ୍ରେ ଦୁଇ ଥର ଯାଜପୁରରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୪ ଓ ୨୦୦୯ରେ ସେ ନିର୍ବାଚିତ ହୋଇ ଲୋକସଭାକୁ ଯାଇଥିଲେ। ତେବେ ୨୦୧୪ରେ ଦଳ ରୀତା ତରାଇଙ୍କୁ ଟିକେଟ୍ ଦେଇଥିଲା। ସେହିପରି ଦଳ ଏଥର ଶର୍ମିଷ୍ଠା ସେଠୀଙ୍କୁ ଟିକେଟ୍ ଦେଇଛି।