ହାଇଦେରାବାଦ(ଏଟିଆର ବ୍ୟୁରୋ): କରୋନା ମହାମାରୀ ପାଇଁ ଅସୁବିଧାର ସାମ୍ନା କରୁଛନ୍ତି ପ୍ରବାସୀ ଶ୍ରମିକ। ଏହି ସମୟରେ ତାଙ୍କ ପାଇଁ ଦେବଦୂତ ସାଜିଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ୍। ସମାଜର ସବୁ ବର୍ଗର ଅସହାୟମାନଙ୍କୁ ସହାୟତା କରିବାକୁ ଆଗେଇ ଆସିଛନ୍ତି ସୋନୁ। କାହାକୁ ଚାଷ କରିବାକୁ ଟ୍ରାକ୍ଟର ଦେଉଛନ୍ତି ତ ଅନ୍ୟ କେଉଁଠି ଚାକିରି ହରାଇଥିବା ଯୁବପିଢ଼ିଙ୍କୁ ଚାକିରି ଦେଉଛନ୍ତି। ସେହିପରି ହାଇଦ୍ରାବାଦର ଏକ ଘଟଣା ସାମ୍ନାକୁ ଆସିଛି । ପରିବା ବିକ୍ରି କରୁଥିବା ଜଣେ ସଫ୍ଟୱେର ଇଞ୍ଜିନିୟରଙ୍କୁ ସୋନୁ ଚାକିରି ବି ଦେଇଛନ୍ତି।
କରୋନା ଯୋଗୁ ହାଇଦ୍ରାବାଦର ସାରଦା ନାମକ ଜଣେ ମହିଳା ସଫ୍ଟୱେର ଇଞ୍ଜିନିୟର ଚାକିରି ହରାଇଥିଲେ। ଏହା ପରେ ସେ ପରିବା ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ। ସେ ପରିବା ବିକ୍ରି କରୁଥିବାର ସମୟର ଏକ ଭିଡିଓ ଟ୍ବିଟରରେ ଶେୟାର ହୋଇଥିଲା। ଜଣେ ଟ୍ବିଟର ବ୍ୟବହାରକାରୀ ଏହି ଭିଡିଓକୁ ସୋନୁ ସୁଦଙ୍କ ସହିତ ଟ୍ୟାଗ୍ କରି ଶେୟାର କରି ସୋନୁଙ୍କ ଠାରୁ ସାହାଯ୍ୟ ମାଗିଥିଲେ । ଏହାର ଉତ୍ତର ଦେଇ ସୋନୁ ଲେଖିଥିଲେ,ମୋର ଅଧିକାରୀ ତାଙ୍କୁ ଭେଟିଛନ୍ତି। ତାଙ୍କର ସାକ୍ଷାତ୍କାର ନିଆଯାଇ ସାରିଛି। ଜବ୍ ଲେଟର ମଧ୍ୟ ପଠାଇ ଦିଆଯାଇଛି। ଜୟ ହିନ୍ଦ୍।
ସୋନୁଙ୍କ ଏହି ପଦକ୍ଷେପକୁ ଢେର୍ ପ୍ରଶଂସା କରାଯାଇଛି। ପ୍ରବାସୀ ଶ୍ରମିକଙ୍କ ପାଇଁ ସୋନୁ “ପ୍ରବାସୀ ରୋଜଗାର” ନାମରେ ଏକ କାର୍ୟ୍ୟକ୍ରମ ଆରମ୍ଭ କରିଛନ୍ତି। ଏହା ଜରିଆରେ ସେ ପ୍ରବାସୀ ଶ୍ରମୀକଙ୍କୁ ଚାକିରି ଦେବାକୁ ଉଦ୍ୟମ କରିଛନ୍ତି ।