ନୟାଗଡ (ଏଟିଆର ବ୍ୟୁରୋ); ଶନିବାର ସକାଳୁ ସକାଳୁ ଏକ ଏକ ଦୁଃଖଦ ଖବର ଶୁଣିବାକୁ ମିଳିଛି । ନିର୍ବାଚନ କାମରେ ଯାଉଥିବା ଜଣେ ତହସିଲଦାରଙ୍କ କାର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ ତହସିଲଦାର ହେଲେ ସୁରେଶ କୁମାର ନନ୍ଦ । ସେ ନୂଆପଡା ଜିଲ୍ଲା କୋମନା ବ୍ଳକରେ ତହସିଲଦାର ଭାବରେ କାମ କରୁଥିଲେ । ଆଜି ଭୁବନେଶ୍ୱର ଯାଉଥିବା ବେଳେ ନୟାଗଡ ଜିଲ୍ଲା ନୂଆଗାଁ ବ୍ଳକ ସୋରଡା ନିକଟରେ ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ସୁରେଶଙ୍କ ମୃତ୍ୟୁ ହୋଇଥିବା ବେଳେ ଡାଇଭରଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ଦଶପଲ୍ଲା ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।
ପୋଲିସ ସୂଚନା ଅନୁଯାୟୀ ଶନିବାର ନିର୍ବାଚନ କାମରେ ରାତିରେ ନୂଆପଡାରୁ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ ସୁରେଶ । ତେବେ ଭୋର ୫ଟା ସମୟରେ ତହସିଲଦାରଙ୍କ କାର ନୟାଗଡ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ସୋରଡା ନିକଟରେ ଦୁର୍ଘଟଣା ଘଟିଛି । ରାସ୍ତା କଡରେ ଥୁଆ ହୋଇଥିବା ଏକ ଟ୍ରକ ପଛପଟେ ପିଟିଦେଇଥିଲେ ରମେଶଙ୍କ କାର । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏବଂ ଡ୍ରାଇଭର ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକ ପୋଲିସକୁ ଖବର ଦେବା ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ଡ୍ରାଇଭରଙ୍କୁ ଦଶପଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୁରେଶଙ୍କ ମୃତ ଦେହ ଉଦ୍ଧାର କରି ରଖିଛି ପୋଲିସ । ପରିବାର ଲୋକ ଆସିବା ପରେ ଶବ ବ୍ୟବଛେଦ ପାଇଁ ଯିବ ବୋଲି ସୂଚନା ଦେଇଛି ପୋଲିସ । ତାଙ୍କ ଘର ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଅଞ୍ଚଳରେ ବୋଲି ଜଣା ପଡିଛି । ତେବେ ସେ ଗତ ଜାନୁଆରୀ ମାସରେ ବିବାହ କରିଥିଲେ । ଏଣୁ ପରିବାରରେ ଦୁଃଖର ଛାୟା ଖେଳିଯାଇଛି ।