ପୁରୀ (ଏଡିଆର ବ୍ୟୁରୋ): ଆଜି ବି ଲୋକଙ୍କ ମନରେ ଭରି ରହିଛି ଅନ୍ଧବିଶ୍ୱାସ । ଆଧୁନିକ ଯୁଗରେ ଥାଇ ମଧ୍ୟ ଲୋକେ ଝଡା ଫୁଙ୍କା ଉପରେ ଏବେ ବି ବିଶ୍ୱାସ ରଖିଛନ୍ତି । ରୋଗୀର ସ୍ୱାସ୍ଥ୍ୟ ଖରାପ ହେବାରୁ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ସତ, କିନ୍ତୁ ଡାକ୍ତର ଖାନାରେ ଚାଲିଛି ଗୁଣିଆର ଝଡା ଫୁଙ୍କା । ଏହି ଦୃଶ୍ୟ କୌଣସି ଉପାନ୍ତ ଅଞ୍ଚଳର ନୁହେଁ ବରଂ ପୁରୀ ମୁଖ୍ୟ ବଡ ଡାକ୍ତରଖାନାରରେ ଦେଖିବାକୁ ମିଳିଛି । ଡାକ୍ତରଖାନା ପରିସରରେ ଚାଲିଥିବା ଏହି ଝଡା ଫୁଙ୍କାର ଦୃଶ୍ୟ ସମସ୍ତଙ୍କ ନଜରକୁ ଆସିଥିଲେ ବି ଏହାକୁ କେହି ବି ରୋକି ନାହାନ୍ତି ।
ଖବରମୁତାବକ, ଗତ କିଛି ଦିନ ହେବ ସତ୍ୟବାଦୀ ବାସିନ୍ଦା କୈଳାଶ ବେହେରାଙ୍କ ଏକ ୧୫ ବର୍ଷର ଝିଅର ସ୍ୱାସ୍ଥ୍ୟ ଅସୁସ୍ଥ ଥିଲା । ଏହାସହିତ ଧୀରେ ଧୀରେ ତାଙ୍କର ମାନସିକ ସ୍ଥିତି ମଧ୍ୟ ବିଗିଡିବାରେ ଲାଗିଥିଲା । ଏହାପରେ ପରିବାର ଲୋକେ ଝିଅର ଚିକିତ୍ସା କରିବା ପାଇଁ ସତ୍ୟବାଦୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଝିଅର ସ୍ୱାସ୍ଥ୍ୟରେ କୌଣସି ପ୍ରକାର ସୁଧାର ନଆସିବା ସହ ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡି ଯିବାରୁ ତାଙ୍କୁ ପୁରୀ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା ।
ପୁରୀ ଡାକ୍ତର ଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ସେଠାରେ ଏକ ଗୁଣିଆ ଝିଅ ଦେହରେ କୌଣସି ସ୍ପିରିଟ୍ ଲାଗିଛି ବୋଲି କହିଥିଲେ । ଏହାପରେ ସେ ଝିଅକୁ ଡାକ୍ତରଖାନା ବେଡରୁ ତଳକୁ ଆଣି ଝଡାଫୁଙ୍କା କରିଥିଲେ । ଏହି ଦୃଶ୍ୟ ସମସ୍ତ ଡାକ୍ତର ଏବଂ ନର୍ସଙ୍କ ସାମ୍ନାରେ ହୋଇଥିଲେ ମଧ୍ୟ ଏହାକୁ କେହି ବି ରୋକି ନଥିଲେ । ଝୁଡାଫୁଙ୍କା ପରେ ଝିଅର ସ୍ୱାସ୍ଥ୍ୟରେ କୌଣସି ପରିବର୍ତ୍ତନ ଆସିଲା ନାହିଁ ।