ଜଗତସିଂହପୁର (ଏଟିଆର ବ୍ୟୁରୋ); ଟିକେଟ ବଣ୍ଟା ହେବା ଦିନଠାରୁ ସବୁ ଦଳରେ ଲାଗି ରହିଛି ଅନ୍ତଦ୍ୱନ୍ଦ । ଆଶାୟୀ ପ୍ରାର୍ଥୀଙ୍କୁ ଟିକେଟ ନମିଳିବା ପରେ ସମର୍ଥକମାନେ ଗଣ୍ଡଗୋଳ କରିବା ସହିତ ପୋଷ୍ଟର ପୋଡୁଥିବା ଦେଖିବାକୁ ମିଳୁଛି । ତେବେ ଏହି ପୋଷ୍ଟର ପୋଡାରେ ଆଗରେ ରହିଛି ବିଜେଡି । ରାଜ୍ୟର ଶାସକ ଦଳରେ ବିଜେଡି ଥିବାରୁ ଅଧିକାଂଶ ନେତା ଦଳୀୟ ଟିକେଟ ଆଶାରେ ରହୁଛନ୍ତି । ଏଣୁ ଟିକେଟ କଟିବା ପରେ ଅକ୍ଳାନ୍ତ ପରିଶ୍ରମ କରିଥିବା ନେତା ଏବଂ ସମର୍ଥକମାନେ ଅସନ୍ତୁଷ୍ଟ ହୋଇ ଭଙ୍ଗାରୁଜା କରିବା ସହିତ ଘର କଳି ପଦାରେ ପକାଉଛନ୍ତି । ରବିବାର ଜଗତସିଂହପୁରରେ ବିଜେଡି ଟିକେଟ ଘୋଷଣା କରିବା ବିଜେଡିର ଦଳ କନ୍ଦଳ ହାଟରେ ପଡି ଦାଣ୍ଡରେ ଗଢ଼ୁଛି ।
ଜଗତସିଂହପୁର ଆସନରୁ ନିର୍ବାଚନ ଲଢ଼ୁଥିବା ହେବିୱେଟ ନେତା ବିଷ୍ଣୁ ଦାସ ତ୍ରିତ୍ତୋଲରୁ ନିର୍ବାଚନ ଲଢ଼ିବେ ବୋଲି ଠିକ ହେବା ଏଠାରେ ଆଶାୟୀଙ୍କ ସଂଖ୍ୟା ବଢ଼ି ଯାଇଥିଲା । ତେବେ ଏଠାରେ ବିଜେଡି ଟିକେଟ ରେସରେ ଆଗରେ ରହିଥିଲେ ବିଷ୍ଣୁଙ୍କ ଅନୁଗତ ଅମରେନ୍ଦ୍ର ଦାସ । କିନ୍ତୁ ଦଳ ବାଲିକୁଦା-ଏରସମା ବିଧାୟକ ପ୍ରସାନ୍ତ ମୁଦୁଲିଙ୍କୁ ଟିକେଟ ଦେବା ପରେ ଦେଖା ଦେଇଛି ଅସନ୍ତୋଷ । ଅମରେନ୍ଦ୍ରଙ୍କ ସମର୍ଥକମାନେ ଜିଲ୍ଲା ପାର୍ଟି ଅଫିସରେ ପଶି ଭଙ୍ଗାରୁଜା କରିବା ସହିତ ଗଣ୍ଡଗୋଳ କରିଥିଲେ । ପରେ ଏକ ବିଶାଳ ବାଇକ ରାଲିରେ ସହର ପରିକ୍ରମା କରିଥିଲେ । ପୂର୍ବରୁ ଟିକେଟ ଆଶାରେ ସେ ସଂଗଠନକୁ ଦୃଢ଼ ମଧ୍ୟ କରିଥିଲେ । ଏବେ ଟିକେଟ ନମିଳିବା ପରେ ସେ ଦଳ ଛାଡିପାରନ୍ତି ବୋଲି ମଧ୍ୟ ଶୁଣିବାକୁ ମିଳିଛି । କାରଣ ପୂର୍ବରୁ ଅମରେନ୍ଦ୍ରଙ୍କ ସମର୍ଥକମାନେ ଚେତାବନୀ ଦେଇଥିଲେ କି ଟିକେଟ ନମିଳିଲେ ଦଳ ଛାଡିବାକୁ ବାଧ୍ୟ ହେବେ ।
ବାଲିକୁଦା-ଏରସମାରେ ବିଜେପି ପକ୍ଷରୁ ରାଜ୍ୟ ରାଜନୀତିର ପଖୋତ ଖେଳାଳି ଦାମ ମଇଦାନକୁ ଓହ୍ଲାଉଥିବା ବେଳେ ବିଜେଡି କାହାକୁ ଟିକେଟ ଦେବ ତାଉପରେ ସମସ୍ତଙ୍କ ନଜର ଥିଲା । ପୂର୍ବରୁ କଳ୍ପନା କରାଯାଉଥିଲା କି ପୁଣିଥରେ ଏଠାରେ ପ୍ରଶାନ୍ତଙ୍କୁ ଟିକେଟ ଦିଆଯିବ । କିନ୍ତୁ ଦାମ ବିଜେପିରେ ଯୋଗ ଦେବା ପରେ ବିଜେପି ନେତା ରଘୁନନ୍ଦନ ବିଜେଡିରେ ଯୋଗ ଦେଇଥିଲେ । ଏବଂ ଦଳ ତାଙ୍କ ଉପରେ ଭରଷା କରି ଟିକେଟ ଦେଇଛି । ଏଣୁ ଦଳରେ କିଛି ସମର୍ଥକ ଏହାକୁ ବିରୋଧ କରିଛନ୍ତି ।