ମୁମ୍ବାଇ (ଏଟିଆର ବ୍ୟୁରୋ); ଚଳିତ ଆଇପିଏଲ ସଂସ୍କରଣରେ ପ୍ରଥମରୁ ଲଗାତାର ତିନୋଟି ବିଜୟରୁ ଅଭିଯାନ ଆରମ୍ଭ କରିଥିଲା ଚେନ୍ନାଇ । ତେବେ ବୁଧବାର ଚେନ୍ନାଇର ଏହି ବିଜୟ ଧାରାରେ ରୋକ ଲଗାଇଛି ମୁମ୍ବାଇ । ମୁମ୍ବାଇ ୧୭୧ ରନ୍ର ବିଜୟ ଲକ୍ଷ୍ୟ ଦେବା ପରେ ଏହି ଦଳ ୮ ୱିକେଟ୍ ବିନିମୟରେ ମାତ୍ର ୧୩୩ ରନ୍ କରି ପାରିଛି। ଶେଷ ୫ ଓଭରରେ ୭୭ ରନ୍ ବ୍ୟୟ କରିବା ଶେଷରେ ଚେନ୍ନାଇ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଚେନ୍ନାଇ ଆଜିର ପରାଜୟ ପରେ ପଏଣ୍ଟ ତାଲିକାର ଦ୍ବିତୀୟକୁ ଖସିଛି। ସେପଟେ ମୁମ୍ବାଇ ଦ୍ବିତୀୟ ବିଜୟ ପାଇଛି। ହାର୍ଦିକ ପାଣ୍ଡ୍ୟା ତାଙ୍କ ଅଲ୍ରାଉଣ୍ଡ ପ୍ରଦର୍ଶନ ପାଇଁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।
ମୁମ୍ବାଇ ପକ୍ଷରୁ ଡି’ କକ୍ (୪) ଏବଂ ରୋହିତ ଶର୍ମା (୧୩) ୪୫ ରନ୍ ଭିତରେ ପ୍ୟାଭିଲିୟନ ଫେରିବା ଏହାର ପ୍ରମୁଖ କାରଣ ଥିଲା। ଯୁବରାଜ ସିଂହ (୪) ମଧ୍ୟ ବିଶେଷ କିଛି କରି ପାରି ନଥିଲେ। ଏହା ପରେ ଦୁଇ ଯୁବତାରକା ସୂର୍ୟ୍ୟକୁମାର ଯାଦବ (୫୯ ରନ୍, ୪୩ ବଲ୍, ୮ ଚୌକା, ୧ ଛକା) ଓ କ୍ରୁନାଲ ପାଣ୍ଡ୍ୟା (୪୨ ରନ୍, ୩୨ ବଲ୍, ୫ ଚୌକା, ୧ ଛକା) ଧିରେ ଧିରେ ପାଳିକୁ ଆଗେଇ ନେଇଥିଲେ। ଉଭୟ ଚତୁର୍ଥ ୱିକେଟ୍ରେ ୬୨ ରନ୍ ଯୋଡ଼ିଥିଲେ। ଯାହା ମୁମ୍ବାଇର ସର୍ବବୃହତ୍ ଭାଗୀଦାରି ଥିଲା। ମୁମ୍ବାଇ ପ୍ରଥମ ୬ ଓଭରର ପାୱାର ପ୍ଲେରୁ ମାତ୍ର ୪୦ ରନ୍ କରିବା ସହ ୧୫.୪ ଓଭରରେ ୧୦୦ ରନ୍ ଛୁଇଁଥିଲା। ଫଳରେ ଏହି ଦଳ ଦେଢ଼ ଶହ ରନ୍ ତଳେ ଅଟକି ଯିବାର ଆଶଙ୍କା ସୃଷ୍ଟି ହୋଇଥିଲା। ହେଲେ ଡ୍ବେନ୍ ବ୍ରାଭୋଙ୍କ ଶେଷ ଓଭରରୁ ହାର୍ଦିକ ପାଣ୍ଡ୍ୟା (୨୫ଞ୍ଚ ରନ୍, ୮ ବଲ୍, ୧ ଚୌକା, ୩ ଛକା) ଓ କିରଣ ପୋଲାର୍ଡ (୧୭ଞ୍ଚ ରନ୍, ୭ ବଲ୍, ୨ ଛକା) ୨୯ ରନ୍ ଅମଳ କରି ସ୍କୋରକୁ ୧୭୦ ରନ୍ରେ ପହଞ୍ଚାଇ ଦେଇଥିଲେ। ଏକଦା ସଂଘର୍ଷ କରୁଥିବା ମୁମ୍ବାଇ ହାର୍ଦିକ ଓ ପୋଲାର୍ଡଙ୍କ ପରାକ୍ରମ ପାଇଁ ଶେଷ ୨୬ ବଲ୍ରୁ ୭୦ ରନ୍ ସଂଗ୍ରହ କରି ନେଇଥିଲା।