ଭୁବନେଶ୍ୱର ( ଏଟିଆର ନ୍ୟୁଜ): ଆମେ ଦବୁନି ଭୋଟ । ଘର ନାହିଁ ତ ଭୋଟ ନାହିଁ ? ସେତୁ ନାହିଁ ତ ଭୋଟ ନାହିଁ ? ଆଜି ଦେଶରେ ପ୍ରଥମ ପର୍ଯ୍ୟାୟ ଭୋଟ ଚାଲିଥିବା ବେଳେ ଏମତି କିଛି ଖବର ଆସି ପହଞ୍ଚିଛି । ଗତ ନିର୍ବାଚନ ପୂର୍ବରୁ ଦିଆଯାଇଥିବା କିଛି ପ୍ରତିଶୃତି ପୂରଣ ଏଯାବତ ହୋଇନଥିବା ଓ କିଛି ଗଠନ ମୂଳକ ଦାବୀ ନେଇ ଅନେକ ଅଞ୍ଚଳରେ ଗ୍ରାମବାସୀ ମାନେ ସମୂହ ଭୋଟ ବର୍ଜନ କରିଛନ୍ତି । କେତେକ ସ୍ଥାନରେ ଇଭିଏମରେ ଯାନ୍ତ୍ରୀକ ତୃଟି ଯୋଗୁ ଭୋଟର ଭୋଟ ଦେଇ ପାରିନଥିବା ବେଳେ ଆଉ କେତେକ ସ୍ଥାନରେ ବିଭିନ୍ନ ଦାବୀ ନେଇ ଭୋଟ ଦେଉ ନାହାନ୍ତି ଭୋଟର ।
ନବରଙ୍ଗପୁର ଜିଲ୍ଲା ନନ୍ଦହାଣ୍ଡି ବ୍ଲକ ପୋଖନାଗୁଡା ଗ୍ରାମବାସୀ , କୋରାପୁଟ ଜିଲ୍ଲା ନାରାୟଣ ପାଟଣାର ୧୬୫ ନଂ ବୁଥ ଭୋଟରଙ୍କ ସହିତ ତରଙ୍ଗପାଣି, ଉପରଙ୍ଗପାଣି ଏବଂ କୁତୁଡି ଗ୍ରାମବାସୀ ମାନେ ଭୋଟ ବର୍ଜନ କରିଛନ୍ତି । ଗ୍ରାମବାସୀଙ୍କ ବିଭିନ୍ନ ଦାବୀ ପୂରଣ ହୋଇନଥିବାରୁ ସେଠାରେ ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି ।
ସେହିଭଳି ମାଲକାନଗିରି ମାଥିଲ ବ୍ଲକର ସାନକରାପାଲି ଓ ବଡକରାପାଲି ଲୋକେ ତାଙ୍କ ଗାଁ ଠାରୁ ୮ କିଲୋମିଟର ଦୂରରେ ମତଦାନ କେନ୍ଦ୍ର ହୋଇଥିବାରୁ ଏହାର ପ୍ରତିବାଦରେ ଭୋଟ ବର୍ଜନ କରିଛନ୍ତି । କଳାହାଣ୍ଡି ଲାଞ୍ଜିଗଡର ନାଗୁପଡା ବୁଥ ନଂ – ୨୦୫ ରେ ଭୋଟ ବର୍ଜନ କରିଛନ୍ତି । ରାସ୍ତା ଓ ପୋଲ ଦାବୀ କରି ଏଠାରେ ନାଗୁପଡାବାସୀ ଭୋଟ ବର୍ଜନ କରିଛନ୍ତି ।