ମାଲକାନଗିରି (ଏଟିଆର ବ୍ୟୁରୋ); ପୁଣିଥରେ ମାଲକାନଗିରି ଜିଲ୍ଲାରେ ସ୍ଥିତି ଜାହିର କଲେ ମାଓବାଦୀ । ସ୍ୱାଭିମାନ ଅଂଚଳ ଚିତ୍ରକୋଣ୍ଡାରେ ନିର୍ବାଚନ ଭଣ୍ଡୁର କରିବାକୁ ମାଓବାଦୀମାନେ ୨ଦିନ ହେଲା ୪ଟି ମୋଟର ଲଂଚକୁ ଅଟକ ରଖିଥିବା ଜଣାପଡିଛି । କୁନ୍ତୁରପଦର ଓ ଯୋଡ଼ାଆମ୍ବ ଓ ପଣସପୁଟକୁ ଯୋଗାଯୋଗ କରୁଥିବା ଏହି ଲଂଚକୁ ଅଟକ ରଖାଯାଇଥିବା ଜଣାପଡିଛି । ୪ଟି ମୋଟର ଲଂଚରେ ଥିବା ୭ରୁ ୮ ଜଣ କର୍ମଚାରୀଙ୍କୁ ମଧ୍ୟ ମାଓବାଦୀ ଅଟକ ରଖିଛନ୍ତି । ଗତକାଲି ଏହି ଅଂଚଳରେ ମତଦାନ ହୋଇଥିଲା ।
ସୂଚନା ଅନୁସାରେ ଗତ ବୁଧବାର ଦିନ ଦୁଇଟି ମୋଟର ଲଂଚକୁ ଅଟକ ରଖାଯାଇଥିଲା । ଆଉ ଗତକାଲି ଆଉ ୨ଟି ମୋଟର ଲଂଚକୁ ଅଟକ ରଖିଛନ୍ତି ମାଓବାଦୀ । ସରକାରୀ କଳ ଏହି ମୋଟର ଲଂଚକୁ ନିର୍ବାଚନ କାର୍ୟ୍ୟରେ ନିୟୋଜିତ କରିବା ତଥା ଭୋଟରଙ୍କୁ ନିଆ ଅଣା କରାଯିବ ଚିନ୍ତା କରି ମାଓବାଦୀମାନେ ଏପରି ଯୋଜନା କରିଥିଲେ । ତେବେ ସେଥିରୁ ଗୋଟିଏ ଲଞ୍ଚକୁ ଫେରାଇଦେଇଥିବା ଜଣାପଡ଼ିଛି। ଏଥିସହ ଡ୍ରାଇଭର, ହେଲପର ଏବଂ ଖଲାସୀ ମଧ୍ୟ ଫେରିଛନ୍ତି। ଲଞ୍ଚରେ ଭୋଟ ବର୍ଜନ ସମ୍ପର୍କିତ ପୋଷ୍ଟର ଲାଗିଛି।
ନିର୍ବାଚନ ବିଗୁଲ ବାଜିବା ଦିନଠାରୁ ମାଓବାଦୀମାନେ ଭୋଟ ବର୍ଜନ କରିବା ପାଇଁ ଗୋଟିଏ ପରେ ଗୋଟିଏ ହିଂସାକାଣ୍ଡ ଘଟାଇ ଆସିଛନ୍ତି । ପ୍ରଥମେ ବିଭିନ୍ନ ଧମକପୂର୍ଣ୍ଣ ପୋଷ୍ଟର ମାଧ୍ୟମରେ ଭୋଟରଙ୍କୁ ଭୟ କରାଯାଇବା ପାଇଁ ଚେଷ୍ଟା କରିଥିଲେ । ଏବଂ ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାସ୍ତା କାମ ଚାଲୁଥିବା କ୍ୟାମ୍ପରେ ହିଂସା ଘଟାଇବା ସହିତ ସୁପରଭାଇଜରଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ମାଓବାଦୀ । ଏବେ ପୁଣିଥରେ ସରକାରୀ ଲଞ୍ଚ ଅଟକାଇବା ପରେ ଭୟରେ ଭୋଟର ଏବଂ ପୁଲିଂ କର୍ମଚାରୀ ।