ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଜଟଣୀ ବ୍ଳକ ମୁଣ୍ଡିଆ ସାହିରେ ୬ ବର୍ଷ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ମାମଲାକୁ ନେଇ ବିଜେଡିକୁ ଟାର୍ଗେଟ କରିଛି ବିଜେପି । ରାଜ୍ୟ ବିଜେପି ସଂପାଦକ ଲେଖାଶ୍ରୀ ସାମନ୍ତସିହାଂରଙ୍କ ନେତୃତ୍ୱରେ ଶୁକ୍ରବାର ଏକ ଟିମ୍ ମୁଣ୍ଡିଆ ସାହିରେ ପିଡିତାଙ୍କ ପରିବାରକୁ ଭେଟି ସମବେଦନା ଦେଇଥିଲେ । ପୋଲିସ କମିଶନରଙ୍କୁ ଭେଟି ଜଟଣୀ ଆଇଆଇସିଙ୍କୁ ନିଲମ୍ବନ ଏବଂ ଏହି ଘଟଣାରେ ଜଡିତ ଥିବା ଟୁନା ସ୍ୱାଇଁଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି ।
ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗରେ ଜେଲ ଯାଇଥିବା ଆନନ୍ଦ ପ୍ରଧାନର ମୁଖ୍ୟ ସହଯୋଗୀ ହେଉଛି ଟୁନା ସ୍ୱାଇଁ । ଟୁନା ଜଟଣୀ ଅଞ୍ଚଳରେ ଗଞ୍ଜେଇ,ବ୍ରାଉନ ସୁଗାର ଏବଂ ମାରଣା ଅସ୍ତ୍ର ବେପାର କରୁଛି । ତେବେ ଏଡାକୁ ଜଟଣୀ ପୋଲିସ ଅଧିକାରୀ ଜାଣିଥିଲେ ସୁଦ୍ଧା କୌଣସି ପଦକ୍ଷେପ ନେଉ ନାହାଁନ୍ତି ବୋଲି ଅଭିଯୋଗ କରିଛି ବିଜେପି । ତେବେ ଟୁନାର ବିଜେଡି ସହ ମଧ୍ୟ ଲିଙ୍କ ରହିଛି । ରାଜ୍ୟର ଶାସନ ଭାରରେ ରହିଥିବାରୁ ଟୁନା ଦେହରେ ଧୂଳି ଲାଗୁନଥିବା ମଧ୍ୟ ଅଭିଯୋଗ କରିଛନ୍ତି ଲେଖାଶ୍ରୀ । ତେବେ ଏଭଳି ଲଜ୍ଜା ଜନକ ଘଟଣା ସାରା ରାଜ୍ୟକୁ ମୁଣ୍ଡ ୂନୁଆଁଇବାକୁ ପଡୁଛି । ଏଣୁ ଯଥା ଶିଘ୍ର ଟୁନାକୁ ଗିରଫ କରିବା ପାଇଁ ଦାବି କରାଯାଇଛି ।
ଜଟଣୀ ଥାନାଠାରୁ ମାତ୍ର ୧ କିଲୋମିଟର ଦୂରରେ ମୁଣ୍ଡିଆ ସାହି ରହିଛି । ପୋଲିସ ଖବର ପାଇଥିଲେ ସୁଦ୍ଧା ପହଁଞ୍ଚିଲା ବେଳକୁ ଚାରି ଘଣ୍ଟା ସମୟ ଲାଗିଥିଲା । ପ୍ରଥମେ ଅଭିଯୋଗ କରିବା ପାଇଁ ଆସିଥିବା ପିଡିତାଙ୍କ ବାପାଙ୍କୁ ଗାଳି ଗୁଲଜ କରି ମାଡ ମାରିବା ପାଇଁ ଧମକ ଦେଇଥିଲେ ଥାନା ଅଧିକାରୀ । ଡେରିରେ ପହଁଞ୍ଚିବା କାରଣରୁ ଝିଅରଟିର ମୃତ୍ୟୁ ହୋଇଛି । ଏଣୁ ଏହି ମାମଲାରେ ବିଜେଡି,ପୋଲିସ ଏବଂ ନିଶା ବେପାରୀଙ୍କ ମଧୁ ଚନ୍ଦ୍ରିକା ଥିବା ଅଭିଯୋଗ କରିଛନ୍ତି ଲେଖାଶ୍ରୀ ।
ମୃତ ନାବାଳିକାର ପରିବାରକୁ ମୁଖ୍ୟମନ୍ତ୍ରୀ ସହାୟତା ରାଶି ପ୍ରଦାନ କରିବା ପାଇଁ ମଧ୍ୟ କହିଛି ବିଜେପି । ଏହି ଘଟଣାକୁ ନେଇ ଲେଖାଶ୍ରୀ ବିଜେଡିକୁ ତେରେଛା ବାଣ ମାରିଛନ୍ତି । ସମାଲୋଚନା କରି କହିଛନ୍ତି ନାରୀଙ୍କୁ ସମ୍ମାନ ଏବଂ ସୁଶାସନ କରୁଥିବା ବିଜେଡି ସରକାର ଡେଙ୍ଗୁରା ପିଟୁଥିଲା । ତେବେ ଏହା କଣ ବିଜେଡିର ନାରୀଙ୍କୁ ସମ୍ମାନ? ସୂଚନା ଯୋଗ୍ୟ ଏହି ଘଟଣାର ମୁଖ୍ୟ ଆସାମୀ ନାବାଳିକାକୁ ନିଜ ଘରକୁ ନେଇ ଦୁଷ୍କର୍ମ କରିବା ପରେ ଅତି ନିର୍ମମ ଭାବରେ ହତ୍ୟା କରିଥିଲା । ଗାଁ ଲୋକଙ୍କ ସହାୟତାରେ ପରିବାର ଲୋକ ଝିଅକୁ ଉଦ୍ଧାର କରିବା ସହିତ ଅଭିଯୁକ୍ତକୁ ନିର୍ଦ୍ଧୁମ ମାଡ ମାରିଥିଲେ ।