ଚେନ୍ନାଇ (ଏଟିଆର ବ୍ୟୁରୋ); ଶୁକ୍ରବାର ଆଇପିଏଲର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ରହିଛି । ଚେନ୍ନାଇକୁ ଭେଟିବା ପାଇଁ ଯାଉଛି ମୁମ୍ବାଇ । ଉଭୟ ଦଳରେ ଅଲରାଉଣ୍ଡର ଖଚିତ ଥିବାରୁ ମ୍ୟାଚଟି ସଂଘର୍ଷପୂର୍ଣ୍ଣ ହେବ । ଚଳିତ ବର୍ଷ ଉଭୟ ଦଳ ଭଲ ଫର୍ମରେ ରହିଛନ୍ତି । ଚେନ୍ନାଇ ୧୧ଟି ମ୍ୟାଚରୁ ୮ଟି ବିଜୟ ସହିତ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଥିବା ବେଳେ ମୁମ୍ବାଇ ୧୦ଟି ମ୍ୟାଚରୁ ୬ଟି ବିଜୟ ହୋଇ ତୃତୀୟ ସ୍ଥାନରେ ରହିଛି । ଚେନ୍ନାଇ ଏକପ୍ରକାର ପ୍ଳେଅଫ ପାଇଁ ସ୍ଥାନ ପକ୍କା କରିନେଇଥିବା ବେଳେ ମୁମ୍ବାଇ ଆହୁରି ଦୁଇ ପାଦ ପଛରେ ରହିଛି । ଏଣୁ ମୁମ୍ବାଇ ବିଜୟ ଆଶାରେ ମଇଦାନକୁ ଓହ୍ଳାଇବ ।
ମୁମ୍ବାଇ ଏବଂ ଚେନ୍ନାଇ ହେଡ ଟୁ ହେଡ ଦେଖିଲେ ଚେନ୍ନାଇ ୧୧ଟି ବିଜୟ ହୋଇଥିବା ବେଳେ ମୁମ୍ବାଇ ୧୩ଟି ବିଜୟ ହୋଇଛି । ଶେଷ ୫ଟି ମ୍ୟାଚରୁ ମୁମ୍ବାଇ ୪ଟି ବିଜୟ ହୋଇଥିବାରୁ ଦଳର ଖେଳାଳିମାନେ ଭଲ ପ୍ରଦର୍ଶନ କରିବେ ବୋଲି ପ୍ରଂଶସକମାନେ ଆଶା ରଖିଛନ୍ତି । ଅପରପକ୍ଷରେ ଆଜି ମ୍ୟାଚଟି ଘରୋଇ ପରିବେଶରେ ଚେନ୍ନାଇ ଖେଳିବା ପାଇଁ ଯାଉଥିବାରୁ ଦଳର ପଲ୍ଲା ଭାରି ରହିବ ବୋଲି କ୍ରିକେଟ ବିଶେଷଜ୍ଞମାନେ ମତଦେଇଛନ୍ତି ।
ଦୁଇ ଦଳରେ ବହୁ ଅଭିଜ୍ଞ ଖେଳାଳି ରହିଥି ବାରୁ ମ୍ୟାଚ ଉପରେ ରହିଛି ସମସ୍ତଙ୍କ ନଜର । ଧୋନୀଙ୍କ ଚେନ୍ନାଇ ଦଳରେ ସବୁଠାରୁ ଅଧିକ ବରିଷ୍ଟ ଖେଳାଳିମାନେ ରହିଛନ୍ତି । ଅପରପକ୍ଷରେ ମୁମ୍ବାଇର ଅଧିନାୟକ ରୋହିତ ଶର୍ମା ଯୁବ ଖେଳାଳି ଏବଂ ପାଣ୍ଡ୍ୟା ବ୍ରଦର୍ସଙ୍କ ଉପରେ ନିର୍ଭରଶୀଳ ରହିବେ । ହାର୍ଦ୍ଦିକ ଚଳିତ ବର୍ଷ ଭଲ ଫର୍ମରେ ରହିବା ସହିତ ସୁପର ଷ୍ଟ୍ରାଇକର ଲିଷ୍ଟରେ ରହିଛନ୍ତି । ଧୋନୀ ଭଲ ଫର୍ମରେ ମଧ୍ୟ ରହିଥିବାରୁ ମୁମ୍ବାଇ ପାଇଁ ଅଡୁଆ ହୋଇପାରେ । ସେ ଏକାକି ପୂର୍ବରୁ ମ୍ୟାଚ ମଧ୍ୟ ଜିତାଇଥିବାର ନଜିର ରହିଛି ।