କେନ୍ଦୁଝର (ଏଟିଆର ବ୍ୟୁରୋ); ଚତୁର୍ଥ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ଦୁଇଦିନ ବାକିଥିବା ବେଳେ ଶୁକ୍ରବାର ରାତିରେ କେନ୍ଦୁଝରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଗଟଣା । କେନ୍ଦୁଝର ମାଇନିଂ ଇଞ୍ଜିନିୟରିଂ ସ୍କୁଲ ସ୍ଥିତ ଇଭିଏମ ଷ୍ଟ୍ରଙ୍ଗରୁମ ସାମାନାରୁ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବାବେଳେ ଯୁବକଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି ବିଜେପି କର୍ମୀ । ସେହି ଯୁବକ ଜଣକ ନିଜକୁ ଜଣେ ସଫ୍ଟୱେର ଇଞ୍ଜିନିୟର ବୋଲି ପରିଚୟ ଦେଉଛନ୍ତି । ଇଭିଏମ ଟାମ୍ପରିଙ୍ଗ୍ ପାଇଁ ଏହି ଯୁବକ ଆସିଥିଲେ ଅଭିଯୋଗ କରିଛନ୍ତି ବିଜେପି କର୍ମୀ । ଅଟକ ରହିଥିବା ଯୁବ ଜଣକ ହେଲେ ଆଶପ୍ରଦୀପ ମହାନ୍ତି । ଅଟକ ଥିବା ଯୁବକ ଜଣେ ଖଣି ବ୍ୟବସାୟୀ ଓ ସଫ୍ଟୱେର ଇଞ୍ଜିନିୟର ବୋଲି ବିଜେପି କର୍ମୀମାନେ ଅଭିଯୋଗ କରିଛନ୍ତି।
ଗତ ୨୩ ତାରିଖରେ କେନ୍ଦୁଝର ଲୋକସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ ହୋଇଥିଲା। ଏହାପରେ କେନ୍ଦୁଝର ସଦର ଓ ତେଲକୋଇ ବିଧାନସଭା ନିର୍ବାଚନମଣ୍ଡଳୀରେ ବ୍ୟବହୃତ ଇଭିଏମ୍କୁ ସହର ମଧ୍ୟରେ ଥିବା ମାଇନିଂ ଇଞ୍ଜିନିୟରିଙ୍ଗ୍ ସ୍କୁଲ ପରିସରରେ ରଖାଯାଇଥିଲା। ତେବେ ଗତକାଲି ବିଳମ୍ବିତ ରାତିରେ ଏକ କଳାରଙ୍ଗର ବୋଲେରୋ ସୁରକ୍ଷାକୁ ଭେଦ କରି ଷ୍ଟ୍ରଙ୍ଗ ରୁମ ନିକଟରେ ପହଞ୍ଚିଥିଲେ ଯୁବକ ଜଣକ ।ଇଭିଏମ ରଖାଯାଇଥିବା ଉକ୍ତ ସ୍କୁଲ ପରିସରରେ ଜଣେ ଇଞ୍ଜିନିୟରଙ୍କୁ ବିଜେପି କର୍ମୀମାନେ ଧରିଥିବାବେଳେ ଆଉ ୪ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା କୁହାଯାଉଛି ।
ସେମାନଙ୍କୁ ଧରିବାକୁ ଉଦ୍ୟମ କରିବା ପରେ ଜଣଙ୍କୁ ଛାଡ଼ି ବାକି ଲୋକ ଦୌଡ଼ି ପଳାଇଥିଲେ । ଧରାପଡ଼ିଥିବା ବ୍ୟକ୍ତି ଜଣକ ହେଲେ ଆଶପ୍ରଦୀପ ମହାନ୍ତି । ସେ ଜଣେ ଇଞ୍ଜିନିୟର ଏବଂ କିଛି କାମରେ ସେ ମାଇନିଙ୍ଗ ସ୍କୁଲକୁ ଆସି ସ୍କୁଲ ଆଡମିନିଷ୍ଟ୍ରେସନ ଅନୁମତିରେ ସେଠାରେ ରହୁଥିବା କଥା କହିଛନ୍ତି । ପୁଲିସ ତାଙ୍କୁ ଥାନାକୁ ନେଇ ପଚରାଉଚୁରା କରୁଛି ବୋଲି ଏସଡିପିଓ କହିଛନ୍ତି । ଅନ୍ୟପକ୍ଷରେ ଷ୍ଟ୍ରଙ୍ଗରୁମର ସୁରକ୍ଷା ଦାବି କରି ବିଜେପି ନେତାମାନେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ।