ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଓଡିଶାରେ ଧିରେ ଧିରେ ସାମୁଦ୍ରକି ଝଡ‘ଫୋନି’ର ପ୍ରଭାବ ଦେଖିବାକୁ ମିଳିଲାଣି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆରମ୍ଭ ହୋଇଛି ବର୍ଷା । ନୟାଗଡ,ଗଞ୍ଜାମ,ଗତପତି,କେନ୍ଦ୍ରାପଡା ଏବଂ ଜଗତସିଂହପୁର ଜିଲ୍ଲାରେ ବର୍ଷା ହେଉଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଅପରାହ୍ନରୁ ଆରମ୍ଭ ହୋଇଛି ବର୍ଷା । ଯଦିଓ ବର୍ଷା ଏତେ ଜୋରରେ ହେଉନି ତଥାପି ପାଣିପାଗ ଦେଇଥିବା ସୂଚନା ଅନୁସାରେ ‘ଫୋନି’ର ପ୍ରଥମ ପ୍ରଭାବ ପଡିବାରେ ଲାଗିଛି । ‘ଫୋନି’ ଏବେ ଓଡିଶାଠାରୁ ମାତ୍ର ୪୩୦ କି.ମି ଦୂରରେ ରହିଛି । ଏବେ ଏହା ଘଣ୍ଟାପ୍ରତି ୧୫ କିମି ବେଗରେ ଗତି କରୁଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସକାଳୁ ‘ଫୋନି’ ଓଡିଶାଠାରୁ ୫୧୦ କିମି ଦୂରରେ ରହିଥିଲା । ଏହା ଘଣ୍ଟା ପ୍ରତି ୭ କିମି ବେଗରେ ଆସୁଥିଲା । ଏବେ ଏହାର ବେଗ ବଢ଼ିବାରେ ଲାଗିଛି । ତେବେ ଏହା ଓଡିଶାରେ ଲ୍ୟାଣ୍ଡଫଲ କଲେ ପବନର ବେଗ ୧୭୦ରୁ ୧୮୦ ରହିବ ବୋଲି ପୂର୍ବରୁ ସୂଚନା ଦେଇଛି ପାଣିପାଗ ବିଭାଗ । ପୂର୍ବ ସୂଚନା ଅନୁଯାୟୀ ଆଜି ରାଜ୍ୟର ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କନ୍ଧମାଳରେ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ପୁରୀ, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ରାୟଗଡ଼ା, ଗଜପତି, କନ୍ଧମାଳ, ନୟାଗଡ଼, ବୌଦ୍ଧ, ଅନୁଗୋଳ, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼ ଓ କେନ୍ଦୁଝର ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।