ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଗତ ୩ ତାରିଖରେ ଓଡିଶାରେ ତାଣ୍ଡବ ରଚିଥିବା ଫୋନିକୁ ୬ ଦିନ ବିତିଗଲାଣି । ବାତ୍ୟା ସିନା ଚାଲିଯାଇଛି ହେଲେ ସେ ଛାଡି ଯାଇଥିବା ପାଦ ଚିହ୍ନ ଆଜିବି ଜିବୀତ ଅଛି । ଆଜି ବି ବିନା ବିଦ୍ୟୁତରେ ଜଗତସିଂହପୁର, କୋର୍ଧା , ଭୁବନେଶ୍ୱର,ପୁରୀ ଜିଲ୍ଲାର ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଭୁବନେଶ୍ୱର କଥା ନକହିଲେ ଭଲ ବିଦ୍ୟୁତ ଅଭାବରୁ ଲୋକେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ।
ଯେଉଁଥି ପାଇଁ ସହରରେ ଜୀବନ କାଟୁଥିବା ଲୋକ ଏବେ ଗାଁ ମୁହାଁ । ଗାଁର ଅବସ୍ଥା ବି ନକହିଲେ ଭଲ । ପାଣିର ଅସୁବିଧା ନଥିଲେ ମଧ୍ୟ ଏହି ତିନି ଜିଲ୍ଲାରେ ଏବେ ବି ବିଦ୍ୟୁତ ସରବରାହ ବନ୍ଦ ରହିଛି । ବାତ୍ୟାରେ ସବୁଠାରୁ ବେଶି ପ୍ରଭାବିତ ହୋଇଛି ପୁରୀ ଓ ଭୁବନେଶ୍ୱର । ଏଇ ନିକଟରେ ହକି ବିଶ୍ୱ କପ୍ ପାଇଁ ନୂଆ ବୋହୂ ପରି ସଜେଇ ହୋଇଥିବା ଭୁବନେଶ୍ୱରର ଅବସ୍ଥା ବେହାଲ ହୋଇ ପଡିଛି । ବର୍ଷ ବର୍ଷ ଧରି ରାଜଧାନୀର ସାକ୍ଷୀ ହୋଇ ରହିଥିବା ବଡ ବଡ ଗଛ ଗୁଡିକର ବିକଟାଳ ରୂପ ଯେମିତି ଏକ ମରୁଭୂମିର ଭ୍ରମ ସୃଷ୍ଟି କରୁଛି । ସେହିପରି ଇଣ୍ଟରନେଟର ଅସୁବିଧା ଯୋଗୁ ବଜାର ବି ମାନ୍ଦାବସ୍ଥା ।
ବଜାରରେ ନଗଦ ଟଙ୍କାର ଅଭାବରୁ ସମସ୍ଥ ଦୋକାନ ବଜାର ମଧ୍ୟ ଖୋଲୁ ନାହିଁ । ଗତ ଦୁଇ ଦିନ ହେଲା ଭୁବନେଶ୍ୱରରେ ଦେଖା ଦେଇଥିବା ପାନୀୟ ଜଳର ଅଭାବ କେତେକାଶଂରେ ଦୂର ହୋଇଥିଲେ ମଧ୍ୟ ଶତ ପ୍ରତିଶତ ହୋଇ ପାରିନି । ଯେଉଁଥି ପାଇଁ ଜନ ଅସନ୍ତୋଷ ଦେଖା ଦେଇଛି । ସେହିଭଳି ଭୁବନେଶ୍ୱରର ବର୍ତ୍ତମାନର ବାସ୍ତବ ଚିତ୍ରକୁ ଦେଖିଲେ ଲାଗୁଛି ଏହି ସପ୍ତାହ ମଧ୍ୟରେ ରାଜଧାନୀର ସବୁ ଅଞ୍ଚଳକୁ ବିଦ୍ୟୁତ ଆସିବା ସମ୍ଭବ ନୁହେଁ । ବିଦ୍ୟୁତ ବିଭାଗ ମଧ୍ୟ ଦିନ ରାତି ଏକ କରି କାମରେ ଲାଗି ରହିଛନ୍ତି । କିନ୍ତୁ ଫୋନିର ପ୍ରଭାବ ଏତେ ଅଧିକ ରହିଛି ଯେ ଯାହାର ପୁନଃଉଦ୍ଧାର ଏତେ ଶିଘ୍ର ସମ୍ଭବ ନୁହେଁ ସୂତ୍ରରୁ ଜଣା ପଡିଛି ।