ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପ୍ରଳୟଙ୍କାରୀ ବାତ୍ୟା ‘ଫୋନି’ ଓଡିଶାକୁ ସମ୍ପୂର୍ଣ୍ଣ ଭାବରେ ଗ୍ରାସ କରିଛି । ରାଜ୍ୟର ୧୪ଟି ଜିଲ୍ଲାରେ ଏହାର ପ୍ରଭାବରେ ବହୁତ କ୍ଷତି ହୋଇଛି । ତେବେ ଏହି ବାତ୍ୟା ପ୍ରଭାବରେ ଚାଷୀଙ୍କ ଭାଗ୍ୟକୁ ଅନ୍ଧାରକ ଠେଲି ଦେଇଛି । ଝାଳ ବୁହା ପରିଶ୍ରମ କରି ଫଳାଇଥିବା ସୁନା ଫସଲକୁ କେଇ ଘଣ୍ଟାର ପବନ ବରବାଦ କରିଦେଇଛି । ଫସଲ ନଷ୍ଟ ହେବା ପରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି ।
ଧାର ଉଦ୍ଧାର ହେଉ ବା କେହି କେହି ଚାଷୀ ଋଣ କରି ଫସଲ କରିଥିଲେ । କ୍ଷେତରେ ମଧ୍ୟ ସୁନା ଫସଲ ଫଳିଥିଲା । କିନ୍ତୁ ବାତ୍ୟା ସବୁକିଛି ଉଜାଡି ଦେଇଛି । ଯାହାକି ଚାଷୀଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଛି । ପୁରୀ,ଜଗତସିଂହପୁର,କେନ୍ଦ୍ରାପଡା ଏବଂ ଖୋର୍ଦ୍ଧା ଜିଲ୍ଲାର ବହୁ ଚାଷୀଙ୍କ ଫସଲ ଉଜୁଡିଯାଇଥିବା ଦେଖିବାକୁ ମିଳିଛି । କେତେକ ସ୍ଥାନରେ ଧାନ ଫସଲ ଗଜା ହୋଇଛି । ତେବେ ଦୁର୍ଦ୍ଦଶା ଭୋଗୁଥିବା ଚାଷୀଙ୍କ ଫସଲ ନଷ୍ଟ ହେବା ପରେ ସେମାନେ ହାତ ଟେକି ଦେଇଛନ୍ତି । ସରକାରୀ ସହାୟତାକୁ ଚାତକ ଭଳି ଚାହିଁ ବସିଛନ୍ତି ।
ପ୍ରଶାସନର ଦୃଷ୍ଟି କେବେ ଚାଷୀଙ୍କ ଉପରେ ପଡିବ ତାଉପରେ ସମସ୍ତଙ୍କ ନଜର । କାରଣ ସମସ୍ତ ପେଟକୁ ଦାନା ଦେଉଥିବା ଚାଷୀର ଦୁଃଖ ସମୟରେ ସହଯୋଗ କରିବା ନିହାତି ଦରକାର । ତେବେ କେତେକ ସ୍ଥାନରେ ଚାଷୀମାନେ ପରିବା ଅମଳ କରିଥିବା ବେଳେ ବାତ୍ୟା ପରେ ଗାଡି ମଟର ଚଳାଚଳରେ ଅସୁବିଧା ହୋଇଥିବାରୁ ସେମାନଙ୍କ ପରିବା ଘରେ ପଡିରହିଥିଲା ।