ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ଚାଲିଛି ଭୋଟ ଗଣତି । କିଏ କେତେବେଳେ ଆଗରେ ତ ଆଉ କିଏ ପଛରେ । ଏହି ହୃତ ସ୍ପନ୍ଦନ ଗଣତି ମଧ୍ୟରେ କେନ୍ଦୁଝର ଲୋକସଭା ଆସନର ବିଜେଡି ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁ କିନ୍ତୁ ଆଗରେ ରହିଛନ୍ତି । ଚଳିତ ନିର୍ବାଚନରେ ସେ ହେଉଛନ୍ତି ସବୁଠାରୁ କନିଷ୍ଠ ନେତ୍ରୀ । କିନ୍ତୁ ତାଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦିତା କରିଥିବା ଦୁଇ ବରିଷ୍ଠ ନେତା ପଛରେ ପଡିଯାଇଛନ୍ତି ।
ବିଜେପି ପକ୍ଷରୁ ଏଠାରେ ପୂର୍ବ ସାଂସଦ ଅନନ୍ତ ନାୟକ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ କଂଗ୍ରେସ ପକ୍ଷରୁ ଲଢ଼ୁଛନ୍ତି ଫକୀର ମୋହନ ନାୟକ । ଉଭୟ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚିତ ଚେହେରା । ପୂର୍ବରୁ ନିର୍ବାଚନ ମଇଦାନକୁ ମଧ୍ୟ ଓହ୍ଲାଇଛନ୍ତି । କିନ୍ତୁ ପ୍ରଥମ ଥର ଲାଗି ନିର୍ବାଚନକୁ ଓହ୍ଲାଇଥିବା ସବୁଠାରୁ କମ ବୟସ୍କ ନେତ୍ରୀ ଚନ୍ଦ୍ରାଣୀ ମୁର୍ମ କିନ୍ତୁ ଦୁଇ ବରିଷ୍ଟ ନେତାଙ୍କୁ ପଛରେ ପକାଇଛନ୍ତି । ସଂସଦୀୟ କ୍ଷେତ୍ରରେ ତାଙ୍କୁ ଭଲ ସଫଳତା ମିଳିଛି ।
କେନ୍ଦୁଝର ଜିଲ୍ଲାର ଲୋକ ପ୍ରିୟ ନେତା ସନାତନ ମହାଖୁଡଙ୍କ ସମର୍ଥନରେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ଚନ୍ଦ୍ରାଣୀ । ଜିଲ୍ଲାରେ ସନାଙ୍କର ଭଲ ଲୋକ ପ୍ରିୟତା ରହିଛି । ଯାହାର ଫାଇଦା ଚନ୍ଦ୍ରାଣୀଙ୍କୁ ସଫଳ କରାଇବାର ବାଟ ଦେଖାଇଛି । ତେବେ ନିର୍ବାଚନ ଶେଷ ଫଳାଫଳ ଉପରେ ସମସ୍ତଙ୍କ ନଜର । ସୂଚନାଯୋଗ୍ୟ,ଚମ୍ପୁଆରୁ ସ୍ୱାଧୀନ ଭାବରେ ୨୦୧୪ରେ ବିଜୟ ହୋଇଥିଲେ ସନାତନ ମହାଖୁଡ । ଏଥରକ ସେ ନିର୍ବାଚନ ଲଢ଼ି ନାହାଁନ୍ତି ।